Categories: ଜାତୀୟ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩ ସରପଞ୍ଚ ସ୍ବାମୀଙ୍କୁ ହତ୍ୟା

ପାଟନା,୨୧।୮: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ହିସାଂକାଣ୍ଡ ଆରମ୍ଭ ହୋଇଯାଇଛି। ଶନିବାର ୩ଟି ଅଲଗା ଘଟଣାରେ ୩ ଜଣ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ପ୍ରଥମ ଘଟଣାରେ ପାଟନା ଉପକଣ୍ଠ ମାନେରଠାରେ ବାଙ୍ଖ ପଞ୍ଚାୟତର ସରପଞ୍ଚ ଆଶା ଦେବୀଙ୍କ ସ୍ବାମୀ ରାଜ କୁମାର ଶାହାଙ୍କୁ ହତ୍ୟା କରାଯାଇଛି। ସେ ଶ୍ରାବଣ ଶେଷ ଦିନରେ ଶିବ ମନ୍ଦିରରେ ପୂଜା କରି ଫେରୁଥିବା ବେଳେ କନହୁଲିଠାରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଗୁଳି କରିଥିଲେ। ସେହିପରି ପାଟନା ଜିଲାର ବିହଟାଠାରେ ପାଇନାଳ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପିଣ୍ଟୁ ସା’ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ତୃତୀୟ ଘଟଣା ରୋହତାସ୍‌ର ଲଓ୍ବେଡା ଗ୍ରାମରେ ଘଟିଛି। କେନାଲ ନିକଟରୁ ଲଓ୍ବେଡା ସରପଞ୍ଚଙ୍କ ସ୍ବାମୀ ଅଜୟ କୁମାର ସିଂଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ଶୁକ୍ରବାର ରାତିରେ ସେ ତାଙ୍କ ବନ୍ଧୁ ଘରକୁ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଯାଇ ଆଉ ଫେରି ନ ଥିଲେ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ହତ୍ୟାକାଣ୍ଡ ପଛରେ ରାଜନୈତିକ ଅଭିସନ୍ଧିକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ପୋଲିସ କହିଛି।

Share