ଶେଷ ଦିନରେ ୩ଜଣଙ୍କ ନାମାଙ୍କନ ଦାଖଲ

ପିପିଲି,୨।୨(ସ୍ବ.ପ୍ର.): ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଦାଖଲର ଶେଷ ଦିନ ଥିଲା। ତେବେ ଶେଷଦିନରେ ୩ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ଓ ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ ଆଚାର୍ଯ୍ୟ ନିଜ ନିଜ ଦଳ କର୍ମୀଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୌମ୍ୟକାନ୍ତ ଦାଶ ପଞ୍ଚାୟତ କାର୍ଯ୍ୟାଳୟଠାରୁ ନିଜ ନେତୃବୃନ୍ଦ ଓ ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ନୃସିଂହନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପାଇଁ ବାହାରିଥିଲେ। ତାଙ୍କ ସହିତ ପୁରୀ ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ଉପସଭାପତି ଜନ୍ମେଜୟ ଜେନା, ନେତା ଅଜୟ ପ୍ରଧାନ,ପ୍ରଦୀପ ସାହୁ, ପର୍ଶୁରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ସୌମ୍ୟକାନ୍ତ ନିର୍ବାଚନ ଅଧିକାରିଣୀ ଦାୟିତ୍ୱରେ ଥିବା ପିପିଲି ବିଡିଓ ରଶ୍ମିତା ନାଥଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ। ସେହିଭଳି ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ ମଧ୍ୟ ନିଜ ସମର୍ଥକଙ୍କ ସହ ବାଇକ୍‌ ଶୋଭାଯାତ୍ରାରେ ବାହାରି ବ୍ଲକକୁ ଆସି ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ପ୍ରଶାନ୍ତ ପ୍ରଧାନ ଦଳୀୟ ନେତୃବୃନ୍ଦ ଓ ତାଙ୍କ ସମର୍ଥକଙ୍କ ସହ ପିପିଲି ବ୍ଲକକୁ ଆସି ବିଡିଓଙ୍କୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ମଙ୍ଗଳବାର ନାମାଙ୍କନ ଯାଞ୍ଚ କରାଯିବ ଏବଂ ଆସନ୍ତା ୫ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ବିଡିଓ ରଶ୍ମିତା ନାଥ କହିଛନ୍ତି। ସୂଚନାଯୋଗ୍ୟ, ନୂଆଶାସନ ପଞ୍ଚାୟତରେ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଫେବୃୟାରୀ ୨୪ରେ ସେଠାରେ ଉପନିର୍ବାଚନ ହେବ।