ଭୁବନେଶ୍ୱର,୧୧।୪(ସୁନିତ୍ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ର ସିଜିମାଳି ବକ୍ସାଇଟ୍ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ ବିରୋଧ କରିଆସୁଛନ୍ତି। ମାତ୍ର ଏହି ବିରୋଧକୁ ବେଦାନ୍ତ କମ୍ପାନୀ ଖାତିର ନ କରି ଜିଲା ପ୍ରଶାସନ ଏବଂ ପୋଲିସ ସହାୟତାରେ ସେଠାରେ ଜୋର୍ ଜବରଦସ୍ତ ରାସ୍ତା ନିର୍ମାଣ କରିବା ପାଇଁ ଚେଷ୍ଟା ଚଳାଇଛି। ଏହି ଘଟଣାକୁ ନେଇ ଗତ ମଙ୍ଗଳବାର ସେଠାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଏହି ବିଷୟରେ ଯେଭଳି ଢଙ୍ଗରେ ବିରୋଧ କରାଯିବା କଥା ତାହା କରାଯାଉନାହିଁ। ସମସ୍ତେ ଏହି ଘଟଣାରେ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିବା ଭଳି ଲକ୍ଷ୍ୟ କରାଯାଉଛି।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପକ୍ଷରୁ ଏହି କଥାକୁ ନେଇ ରାଜ୍ୟସ୍ତରର କୌଣସି ନେତା ମୁହଁ ଖୋଲୁନାହାନ୍ତି। ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଥର ଖବରଦାତା ସମ୍ମିଳନୀ କରୁଥିବା ବିଜେଡି ନେତାମାନେ ସିଜିମାଳିରେ ଆଦିବାସୀଙ୍କ ଉପରେ ଆକ୍ରମଣ ବିଷୟରେ ଯେମିତି କିଛି ଜାଣିନାହାନ୍ତି ସେମିତି ଅଛନ୍ତି। ମିଳିଥିବା ଖବର ଅନୁଯାୟୀ, ବିଜେଡିର କେତେଜଣ ଆଗଧାଡ଼ିର ନେତା ସିଜିମାଳି ଗସ୍ତକରି ଆଦିବାସୀମାନଙ୍କ ଉପରେ କରାଯାଉଥିବା ଆକ୍ରମଣ ଘଟଣାକୁ ବିରୋଧ କରିବା ଲାଗି ଦଳର ସଭାପତିଙ୍କଠାରୁ ଅନୁମତି ଲୋଡ଼ିଥିଲେ। ମାତ୍ର ଦଳ ପକ୍ଷରୁ କୌଣସି ପ୍ରକାର ଅନୁମତି ନ ମିଳିବା ପରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକାକୀ ସିଜିମାଳି ଗସ୍ତକରି ଆଦିବାସୀମାନଙ୍କ ମେଳିରେ ସାମିଲ ହୋଇଥିଲେ। ଏଥିଯୋଗୁ ନବୀନ ନିବାସରେ ଚିନ୍ତା ଘାରିଲା। ଜିଲାସ୍ତରକୁ ନିର୍ଦ୍ଦେଶ ଦିଆଗଲା ସ୍ଥାନୀୟ କେତେଜଣ ନେତା ପ୍ରଭାବିତ ଅଞ୍ଚଳ ଗସ୍ତ କରନ୍ତୁ। ସେମାନଙ୍କୁ କୁହାଗଲା, ସାଧାରଣରେ ବାର୍ତ୍ତା ଦେବାକୁ ଯେ ବିଜେଡି କୌଣସି ଭାବେ ବେଦାନ୍ତକୁ ସମର୍ଥନ କରୁନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଅନେକ କଥାରେ ସକ୍ରିୟ ଥିଲେ ସୁଦ୍ଧା ଏହି ଘଟଣାକୁ ନେଇ କିଛି ଲେଖିବାକୁ ଇଚ୍ଛା କରିନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ସିଜିମାଳି ବକ୍ସାଇଟ୍ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍ ନେବା ସମୟରେ ବିଜେଡି ରାଜ୍ୟରେ ସରକାରରେ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଆଦିତ୍ୟ ବିର୍ଲା କମ୍ପାନୀର ଉତ୍କଳ ଆଲୁମିନା ଏହି ଅଞ୍ଚଳରେ ବକ୍ସାଇଟ୍ ଖନନ କରୁଛି। ସେହି କମ୍ପାନୀ ମଧ୍ୟ ଜନବିରୋଧୀ କାର୍ଯ୍ୟ କରୁଥିବା ହେତୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅନେକ ବିରୋଧର ସମ୍ମୁଖୀନ ହୋଇଆସିଛି।
କୋରାପୁଟ ଏବଂ ରାୟଗଡ଼ା ଜିଲାରେ ସବୁବେଳେ କଂଗ୍ରେସ ପ୍ରତି ଜନସମର୍ଥନ ଭଲ ରହିଆସିଛି। ଲଗାତର ୨୦୧୯ରୁ କୋରାପୁଟ ଲୋକ ସଭା ଆସନ କଂଗ୍ରେସ ଦଖଲରେ ରହିଛି। ଅର୍ଥାତ୍ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସ ଏହି ଜିଲାରୁ ଏକମାତ୍ର ଏମ୍ପି ପାଇପାରିଛି। ରାୟଗଡ଼ାରେ ମଧ୍ୟ କଂଗ୍ରେସର ସ୍ଥିତି ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଭଲ। ହେଲେ ସେଠାକାର ଏତେବଡ଼ ଏକ ଘଟଣାରେ କଂଗ୍ରେସ ରାଜ୍ୟସ୍ତରରେ କିଛି ପାଟି ଖୋଲୁନାହିଁ। କେବଳ ଏକ ଟିମ୍ ଗଠନ କରିଦେଇ ଦଳ ସେଠାର ରିପୋର୍ଟ ଦେବାକୁ କହିଛି। ମାତ୍ର ଯେଉଁ କମିଟି ଗଠନ ସମ୍ପର୍କିତ ବିଜ୍ଞପ୍ତି କଂଗ୍ରେସ ଜାରି କରିଛି ସେଥିରେ କୌଣସି ସ୍ଥାନରେ ବେଦାନ୍ତ ପକ୍ଷରୁ ଖଣି ଲିଜ୍ ପାଇଁ ଏମିତି ଘଟୁଛି ତା’ର ରିପୋର୍ଟ ଦିଅ ବୋଲି କୁହାଯାଇନାହିଁ। କେବଳ ଧର୍ମକୁ ଆଖିଠାର ଭଳି ଏକ ଚିଠି କଂଗ୍ରେସ କରି କେତେଜଣ ନେତାଙ୍କୁ ପଠାଇଦେଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ୨ ବିରୋଧୀ ଦଳର ନୀରବତା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।
Dharitri – Odisha’s No.1 Odia Daily

