Categories: ଜାତୀୟ

୨୦ କି.ମି ମୃତଦେହ କାନ୍ଧରେ ବୋହିବା ଘଟଣା: ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ବାରାଣସୀ,୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ପୁଅର ମୃତଦେହକୁ କାନ୍ଧରେ ବୋହିବା ଘଟଣାର ୩ ଦିନ ପରେ ଯୋଗୀ ସରକାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଦ୍ୟୁତ୍‌ ବିଭାଗର ୩ଜଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଅଧିକାରୀଙ୍କୁ ଚାର୍ଜସିଟ୍‌ କରିଛନ୍ତି। ଅନ୍ୟପକ୍ଷେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିବା କୁଶଳୀ ଶ୍ରମିକ ରାମଜିଆନଙ୍କୁ ହଟାଇ ଦେଇଥିବା ଜଣାପଡ଼ିଛି। ସମସ୍ତଙ୍କ ଉପରେ ଦାୟିତ୍ୱହୀନତା ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ପ୍ରଥମ ଥର ପାଇଁ ଜଣେ ମୁଖ୍ୟ ଯନ୍ତ୍ରୀଙ୍କୁ ଚାର୍ଜସିଟ୍‌ ଭୁକ୍ତ କରାଯାଇଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପ୍ରୟାଗରାଜର କରଛନା ଥାନା ଅଞ୍ଚଳରେ ଥିବା ରାମପୁର ଉପରହାର ଗ୍ରାମରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ବଜରଙ୍ଗୀ ଯାଦବଙ୍କ ୧୦ ବର୍ଷର ପୁଅ ଶୁଭମଙ୍କର ମୃତ୍ୟୁ ହୋଇଥିଲା। ଖେଳିବା ସମୟରେ ଓହଳିପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏହାପରେ ପରିବାରଲୋକଙ୍କୁ ମୃତଦେହ ଗାଁକୁ ନେବାପାଇଁ କୌଣସି ଆମ୍ବୁଲାନ୍ସ କି କୌଣସି ସହାୟତା ମିଳି ନ ଥିଲା। ଫଳରେ ପରିବାରେ ଲୋକେ କାନ୍ଧରେ ମୃତଦେହ ବୋହି ଦୀର୍ଘ ୨୦କିଲୋମିଟର ଚାଲି ଗାଁକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଗ୍ରାମବାସୀ ପ୍ରତିବାଦ କରିବା ସହ ଆନ୍ଦୋଳନ କରିଥିଲେ। ଏପରିକି ମାମଲା ଥାନାରେ ପହଞ୍ଚିଥିଲା।

Share