ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

କଟକ ଅଫିସ,୨୦।୧୦:ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଯୋଗଦେଇ ନୂଆ ବିଚାରପତିମାନଙ୍କୁ ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ହାଇକୋର୍ଟ ବାର୍‌ ଆସୋସିଏଶନ ସଦସ୍ୟ ଓ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପଞ୍ଜାବ, ହରିୟାଣା ହାଇକୋର୍ଟର ବିଚାରପତି ଯଶୱନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଥିଲା। ଫଳରେ ସେମାନେ ଗତ ୮ ତାରିଖରେ ହାଇକୋର୍ଟର ନୂତନ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ। ଏବେ ଉପରୋକ୍ତ ୩ ନୂତନ ବିଚାରପତିଙ୍କ ଯୋଗଦାନପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭ରେ ପହଂଚିଛି ।