Categories: ଜାତୀୟ

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକ, କାଥୁଆରୁ ସୁବାସ ଗୁପ୍ତା ଏବଂ ଡୋଡାରୁ ଶ୍ୟାମ ଲାଲ ଭାଗବତ ପୃଥକ ଭାବରେ ସେମାନଙ୍କ ଇସ୍ତଫା ପତ୍ର ପାର୍ଟି ହାଇକମାଣ୍ଡକୁ ପଠାଇଛନ୍ତି।
କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗତ ଶୁକ୍ରବାର ଦଳର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ପତ୍ତନ ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଥିଲେ। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି ବୋଲି ଗୁଲାମ ନବୀ ଆଜାଦ କହିଥିଲେ।
ଉଲ୍ଲେଖନୀୟ କଥା ହେଉଛି, ଆଜାଦ କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ତିନିଜଣ ପୂର୍ବତନ ମନ୍ତ୍ରୀଙ୍କ ସମେତ ଆଠଜଣ ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେମାନେ ଶୀଘ୍ର ଏକ ନୂତନ ଦଳ ଗଠନ କରିପାରନ୍ତି। ନିଜେ ଦଳ ଗଢି ଜମ୍ମୁ-କଶ୍ମୀରର ନିର୍ବାଚନକୁ ଓହ୍ଲାଇବେ ବୋଲି ପୂର୍ବରୁ ଗୁଲାମନବୀ ସ୍ପଷ୍ଟ କରିଛନ୍ତି।

 

Share