ଗୋଟିଏ ପରିବାରରୁ ତିନି ପ୍ରାର୍ଥୀ

ଖପ୍ରାଖୋଲ,୫ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଭିନ୍ନ ପଦ ପଦବୀ ପାଇଁ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏବେ ଏହାକୁ ନେଇ ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତର ପଧାନ ପରିବାର ଚର୍ଚ୍ଚାରେ ଅଛନ୍ତି। ବେନ୍ଦେର ପଞ୍ଚାୟତର ଦୁଇ ଥର ସରପଞ୍ଚ ହୋଇଥିବା ଖଗେଶ୍ୱର ପଧାନ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କରୁଆଁଝର ପଞ୍ଚାୟତରେ ସମିତି ସଭ୍ୟ ଭାବେ ଛିଡା ହୋଇଥିବା ବେଳେ ତାଙ୍କ ଭାଇ ବୋହୁ ମଲିକା ପଧାନ ବେନ୍ଦେର ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ସେହିପରି ଖଗେଶ୍ୱରଙ୍କ ମା’ ଅଏଁଳା ପଧାନ ଘୁନସର ପଞ୍ଚାୟତରୁ ସମିତି ସଭ୍ୟା ପାଇଁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ପରିବାରରୁ ୩ଟି ପଦବୀରେ ୩ପଞ୍ଚାୟତରୁ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଫଳାଫଳ କ’ଣ ହେଉଛି ତାହା ଦେଖିବାକୁ ଉତ୍ସୁକତା ଲାଗି ରହିଛି।