Categories: ଜାତୀୟ

ଗେହଲଟ ସରକାରଙ୍କୁ ଝଟକା: ଇସ୍ତଫା ଦେଲେ ୩ ମନ୍ତ୍ରୀ

ଜୟପୁର,୨୦ ।୧୧: ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ କଥା ଆଲୋଚନା ହେଉଥିବା ବେଳେ କଂଗ୍ରେସକୁ ବଡ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ଗେହଲଟ ସରକାରଙ୍କ ୩ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ମନ୍ତ୍ରୀମାନେ ଏହା ସ୍ପଷ୍ଟ କରି ନ ଥିବା ବେଳେ ବରିଷ୍ଠ ନେତା ଅଜୟ ମାକନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଶନିବାର ଏହି ୩ ମନ୍ତ୍ରୀ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଇସ୍ତଫା ଦେବା କଥା କହିଥିଲେ । ଏହି ସମୟରେ ଅଜୟ ମାକନ ଶନିବାର ହେବାକୁ ଥିବା କୃଷକ ବିଜୟ ଦିବସ ପାଇଁ ରାଜସ୍ଥାନ ପହଞ୍ଚିବା ବେଳେ ଏପଟେ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା ପରେ ସେମାନଙ୍କୁ ମାକନ କୁଆଡେ ବୁଝାସୁଝା କରିବାକୁ ଆସିଛନ୍ତି ବୋଲି ଆଲୋଚନା ହେଉଛି । ଅନ୍ୟପଟେ ଅନୁମାନ କରାଯାଉଛି କି ଗେହଲଟ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ୨୧-୨୨ରେ ଶପଥ ନେଇ ପାରନ୍ତି । କାରଣ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କ ଉତ୍ତର ପ୍ରଦେଶ ଗସ୍ତ ଶେଷ କରି ଶନିବାର ରାଜସ୍ଥାନ ଫେରୁଛନ୍ତି । ସେପଟେ ଶନିବାର କଂଗ୍ରେସ କେନ୍ଦ୍ର ସରକାର ପ୍ରତ୍ୟାହର କରି ନେଇଥିବା ୩ କୃଷି ଆଇନକୁ ନେଇ ‘କୃଷକ ବିଜୟ ଦିବସ’ ପାଳନ କରୁଛି ।

Share