ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଅନୁସାରେ ଅବଦୁଲ୍‌ ରହିମ୍‌ ରଶିଦ୍‌ ହାଇସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟିଛି।

କାବୁଲ ପୋଲିସ ପ୍ରବକ୍ତା ଖାଲିଦ୍‌ ଜାଦରାନ୍‌ ଟୁଇଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ଯେ, ବିସ୍ଫୋରଣରେ ଶିହା ସମ୍ପ୍ରଦାୟର କେତେକ ଲୋକଙ୍କର ମୃତ୍ୟୁ ଘଟିଛି। ଦ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲର ଖବରଦାତା ଏହସାନୁଲ୍ଲା ଅମିରି ସୂଚନା ଦେଇଛନ୍ତି ଯେ କାବୁଲର ଦସ୍ତ ବାରଚିରେ ଥିବା ହାଇସ୍କୁଲରେ ବିସ୍ଫୋରଣ ଘଟିଛି।

ସ୍କୁଲରେ ପ୍ରବେଶ ପଥରେ ଛାତ୍ରୀଛାତ୍ରଙ୍କ ଭିଡ଼ ଅଞ୍ଚଳରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଥିବା ସେ କହିଛନ୍ତି। ସେହିପରି ମୁମତାଜ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ମଧ୍ୟ ଏକ ବିସ୍ଫୋରଣ ଘଟିଛି। ଏସବୁ ଅଞ୍ଚଳ ହାଇସ୍କୁଲର ନିକଟରେ ଥିବା କୁହାଯାଉଛି।

Share