ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ମୋଟର ସାଇକେଲରେ ତିନିଜଣ ଯାଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଖବରପାଇ ବାଲିଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତିନିଜଣଙ୍କ ମରଶରୀର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ବାଲିଗୁଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।