ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି। ନ୍ୟୁଜିଲାଣ୍ଡ ୧୯୮ ରନ କରିଥିବାରୁ ଭାରତ ପାଇଁ ରନ ଚେଜ କଷ୍ଟକର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ଦୁଇ ଯୁବ ବ୍ୟାଟର୍‌ ମାତ୍ର ୫ ଓଭରରେ ୧୦୦ ରନ କରି ମ୍ୟାଚ୍‌ର ଚିତ୍ର ବଦଳାଇ ଦେଇଥିଲେ। ବିଶେଷ କରି ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଧରାଶାୟୀ କରିଦେଇଥିଲା।
ଅଭିଷେକ ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ନିଜର ବିସ୍ଫୋରକ ବ୍ୟାଟିଂର ପ୍ରମାଣ ଦେଇଥିଲେ। ଏହା ବିଦେଶ ମାଟିରେ ତାଙ୍କର ଦ୍ରୁତତମ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ଏବଂ ଏହି ଫର୍ମାଟରେ ତାଙ୍କର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ସେ ମାତ୍ର ୩୫ ବଲ୍‌ରେ ଶତକ ହାସଲ କରିବା ସହ ମୋଟ ୩୮ ବଲ୍‌ରେ ୧୧୩ ରନ କରିଥିଲେ। ତାଙ୍କ ଇନିଂସରେ ୧୧ଟି ଛକା ଓ ୯ଟି ଚୌକା ସାମିଲ ଥିଲା। ଏହା ତାଙ୍କର ଚତୁର୍ଥ ଅନ୍ତର୍ଜାତୀୟ ଟି-୨୦ ଶତକ।

ଅଭିଷେକ ଓ ବୈଭବଙ୍କ ଓପନିଂ ଯୋଡ଼ି ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲର୍ଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ମାତ୍ର ୨.୨ ଓଭରରେ ଦଳୀୟ ସ୍କୋର ୫୦ ରନ୍‌ରେ ପହଞ୍ଚିଥିଲା। ଏହାପରେ ୫ ଓଭରରେ ୧୦୦ ରନ ପୂରଣ କରି ଭାରତୀୟ ଯୋଡ଼ି ରନ୍‌ର ବର୍ଷା କରିଥିଲେ। ପାୱାରପ୍ଲେର ୬ ଓଭର ଶେଷ ସୁଦ୍ଧା ଭାରତ ୧୧୮ ରନ କରିଥିଲା। ଅନ୍ତର୍ଜାତୀୟ ପୁରୁଷ ଟି-୨୦ କ୍ରିକେଟ୍‌ରେ ଏହା ପାୱାରପ୍ଲେର ସର୍ବାଧିକ ଦଳଗତ ସ୍କୋର। ଏହା ପୂର୍ବରୁ ସ୍କଟଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ କରିଥିବା ୧୧୩ ରନ୍ର ରେକର୍ଡକୁ ଭାରତ ପଛରେ ପକାଇଥିଲା।

ଅଭିଷେକଙ୍କ ସହ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ସେ ମାତ୍ର ୧୯ ବଲ୍‌ରେ ୪୫ ରନ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୪ଟି ଛକା ଓ ୪ଟି ଚୌକା ରହିଥିଲା। ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍‌ର ଲକ୍ଷ୍ୟକୁ ଭାରତ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ହାସଲ କରିଥିଲା। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ ଅଗ୍ରଣୀ ହାସଲ କରିଛି।

 

Dharitri – Odisha’s No.1 Odia Daily

 

Share