ଯୁବକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଛତ୍ରପୁର.୨୭ା୧୧(ଦିଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବିଲରେ ପକାଇବା, ଲୁଟ ଓ ହତ୍ୟା ଧମକ ଅଭିଯୋଗରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଘଟଣାର ୨୪ ଘଣ୍ଟା ନ ପୂରଣୁ ଅଭିଯୁକ୍ତମାନେ ଶୁକ୍ରବାର ଗିରଫ ହୋଇଛନ୍ତି। ସେମାନେ ହେଲେ ବିପୁଳିଙ୍ଗି ପଲସରା ସାହିର ଗୋପାଳ ଦାସ, ଅରୁଣ ଦାସ ଓ ଦୀପୁ ଓରଫ ଦୀପୁନ ଦାସ। ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଥିବା ଛତ୍ରପୁର ଥାନା ପରିସରରେ ଖବରଦାତା ସମ୍ମିଳନୀରେ ଏସଡିପିଓ ଚନ୍ଦନ କୁମାର ଘଡ଼ାଇ ସୂଚନା ଦେଇଛନ୍ତି।
ଗୁରୁବାର ସନ୍ଧ୍ୟାରେ ଶ୍ୟାମଘନ ଦାସଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରି ବିଲରେ ପକାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ୟାମଘନଙ୍କ ସହ ପଲସରା ସାହିର ଅଭିଯୁକ୍ତମାନଙ୍କର ଦୀର୍ଘଦିନ ଧରି ତିକ୍ତତା ଥିବା ପୋଲିସ କହିଛି। ପୂର୍ବ ଶତ୍ରୁତା, ବାତ୍ୟା ସମୟରେ କ୍ଷୟକ୍ଷତିର ଫଟୋ ଉଠାଇବା ଏବଂ ଗାଡ଼ି ଚଳାଚଳ ଓ ଯାତାୟାତକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିଥିବା ତଦନ୍ତରୁ ଜଣାପଡ଼ିଛି। ଆକ୍ରମଣ ଘଟଣାକୁ ନେଇ ଶ୍ୟାମଘନଙ୍କ ଭଉଣୀ ମମତା ଦାସ ଶୁକ୍ରବାର ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ.୫୯୦/୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଖବରଦାତା ସମ୍ମିଳନୀରେ ଏସଡିପିଓଙ୍କ ସହ ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ଉପସ୍ଥିତ ଥିଲେ।

Share