ଖଡ଼ିଆଳ,୧୦ା୧ (ସୁଜିତ କୁମାର ପ୍ରଧାନ)- ଏକ ଚୋରି ଘଟଣାରେ ଖଡିଆଳ ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ଚୋରି ଚାଉଳ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ଥାନା ଗୋଇମୁଣ୍ଡି ଗ୍ରାମର ଝଲେନ୍ଦ୍ର ଚଲାନ, ଲାଇବାନିଧି ଚଲାନ ଓ ଘରଧରା ଗ୍ରାମର ଚିତ୍ତଦେବ ବେହେରା।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରାୟପୁରରୁ ସିଜି୦୪ଏନ୍ଏକ୍ସ-୭୨୭୭ନଂ. ବିଶିଷ୍ଟ ଟ୍ରକ୍ରେ ଗତ ୮ତାରିଖରେ ୭୦୦ ବସ୍ତା ଚାଉଳ ବିଶାଖାପାଟଣା ଯାଉଥିଲା। ଖଡ଼ିଆଳ ଥାନା ଅନ୍ତର୍ଗତ ବଡପୋଲ ଛକ ନିକଟରେ ଟ୍ରକ୍ ଅଟକି ଥିବାବେଳେ ସେଥିରୁ ୨୮୨ ବସ୍ତା ଚାଉଳ ଚୋରି ହୋଇଯାଇଥିଲା। ଏ ନେଇ ରାୟପୁର ଟ୍ରାନ୍ସପୋର୍ଟର ଗୋବିନ୍ଦ ପ୍ରସାଦ ଜିନ୍ଦଲ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଚୋରି ହୋଇଥିବା ୨୮୨ ବସ୍ତା ମଧ୍ୟରୁ ୨୪୦ ବସ୍ତା ଉଦ୍ଧାର କରିଛି। ଅବଶିଷ୍ଟ ୪୨ ବସ୍ତା ଚାଉଳ ସେମାନେ ବିକ୍ରି କରିଦେଇଥିବାରୁ ଏ ବାବଦରେ ପୋଲିସ ୫୪,୪୦୦ ଟଙ୍କା ସହ ଚୋରିରେ ବ୍ୟବହୃତ ଦୁଇଟି ଚାରିଚକିଆ ଗାଡି ଜବତ କରିଛି।


