ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ପ୍ରତି ବିପଦ

ମହାକାଳପଡ଼ା, ୨୭ା ୯(ଡି.ଏନ.ଏ):ବଙ୍ଗୋପସାଗର ପୂର୍ବ ଉପକୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡଦାନର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏଠାକୁ କାହିଁ କେଉଁ କାଳରୁ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେ କଇଁଛ ଲକ୍ଷ ଲକ୍ଷ ମାଇଲ ଦୂର ବିଶାଳ ଜଳରାଶିକୁ ଭେଦକରି ସୁରକ୍ଷିତ ସ୍ଥାନ ଭାବି ଛୁଟି ଆସନ୍ତି। ଏହି ଗହୀରମଥା ବାଲୁକା ଶଯ୍ୟାସ୍ଥଳ ଭାଗରେ ଅଲିଭ ରିଡେଲ କଇଁଛ ହୁକିଟୋଲା, ଅଗରନାସୀ, ଲଞ୍ଚ ଘୋଲା, ମାଦଳି, ଷୋଳ ମୁହାଣ, ତଣ୍ଡା ଆଦି ବାଲୁକା ବେଳାଭୂମିରେ ସୁରକ୍ଷିତ ଭାବେ ଅଣ୍ଡାଦାନ କରିଥାନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପରିବେଶ ବିଜ୍ଞାନୀମାନେ ଚିନ୍ତିତ। ବିଶାଳ ବାଲୁକା ବେଳାଭୂମି ବଡ଼ ବଡ଼ ସାମୁଦ୍ରିକ ଝଡ଼, ମହାବାତ୍ୟା ଆଦି ଯୋଗୁ ସମୁଦ୍ର ଗର୍ଭରେ ଲୀନ ହେଉଥିବା ଦେଖିବାକୁ ମିଳିଛି।
ଏହି ଅଞ୍ଚଳରେ ଥିବା ବିଶାଳ ବାଲି ଢିପରେ ଝାଉଁ ଜଙ୍ଗଲ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲା। ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାଦାନ ସ୍ଥଳ ଅନ୍ତୁଡ଼ିଶାଳ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଉଚ୍ଚ ଢେଉରେ ଲୀନହେବାକୁ ବସିଛି। ଏବେ କେବଳ ଝାଉଁବଣର ଶୁଖିଲା କାଠ ପଡ଼ି ରହିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀ, ଗୋ ଓ ମଇଁଷି ପାଳକମାନେ ଏହି ବାଲି ଢିପରେ ପଲା ନିର୍ମାଣ କରି ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ସେହିପରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର କୂଳେ କୂଳେ ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ହେନ୍ତାଳ ବଣରେ ଦେଶୀ, ବିଦେଶୀ ପକ୍ଷୀମାନେ ବସା ବାନ୍ଧି ସୁରକ୍ଷିତ ଭାବେ ରହୁଛନ୍ତି। ବିଶେଷକରି ଏହି ଜଙ୍ଗଲରେ ହରିଣ, ବାର୍‌ହା, କୁଟୁରା, ହାଏନା, ପାଣି ଗୋଧି, ବଣ ଭୁଆଁ, ପାଣି ଓଧଙ୍କ ସମେତ ବିଷଧର ସରୀସୃପ ଦେଖିବାକୁ ମିଳେ। ପକ୍ଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବଗ, ଟାପରଖାଇ, ଦା ବେଣ୍ଟିଆ, କୁମ୍ବାଟୁଆ, ବଜ୍ରକାପ୍ତା, ପେଣ୍ଟେଡ ଷ୍ଟର୍କ, କେଶର ପାଣ୍ଡିଆ, ରୁଡ଼ିସ୍‌ ଡଗ, ଗଡ଼ୱାଲ ସୋଭଲର ସାମୁଦ୍ରିକ ଜୀବ ମଧ୍ୟରେ ବିଭିନ୍ନ ପ୍ରଜାତିର ଡଲ୍‌ଫିନ, ରାବଣା, ନୀଳରକ୍ତ କଙ୍କଡା, ଲାଲ୍‌ କଙ୍କଡା, ହର୍ଲି କଙ୍କଡା ଓ ସାମୁଦ୍ରିକ ଛୋଟ ବଡ଼ ଜୀବ ଦେଖିବାକୁ ମିଳେ। ଏହି ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ନଦୀ, ନାଳ, ଯୋରରେ ବସା ବାନ୍ଧି ବଉଳା କୁମ୍ଭୀର ରହୁଛନ୍ତି। ବିଶେଷକରି ଲଞ୍ଚ ଘୋଲା, ମାଦଳି, ଅଗରନସୀ ଆଦି ବିସ୍ତୀର୍ଣ୍ଣ ବାଲୁକା ବେଳାଭୂମି ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ସୁରକ୍ଷା ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବା ସହ ୧୯୯୯ ମହାବାତ୍ୟାରେ ମୁହାଣ ମୁହଁ ଦିଗ ପରିବର୍ତ୍ତନ ହେବା ଦ୍ୱାରା ସମୁଦ୍ରର ଉତ୍ତାଳ ଢେଉ ଏବେ କୁଳାଭିମୁଖୀ ହେଇଛି। ଭବିଷ୍ୟତରେ ଏହା ସ୍ଥଳଭାଗ ପ୍ରତି ବିପଦ ସୃଷ୍ଟି କରିବ ବୋଲି ପରିବେଶବିତ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ପାରାଦୀପର ମହାନଦୀ ମୁହାଣରୁ ଧାମରା ପର୍ଯ୍ୟନ୍ତ ୧୪୨୦ ସ୍କୋୟାର କିଲୋମିଟର ପରିଧି ଓ କୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପରିବ୍ୟାପ୍ତ ରହିଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ମାଦଳି, ଲଞ୍ଚଘୋଲା, ଅଗରନାସୀର ଅନେକ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଗଲାଣି ବୋଲି ସେ କହିଛନ୍ତି।