ଶ୍ମଶାନ ଜମି ଚିହ୍ନଟ ନ ହେଲେ ଭୋଟ ବର୍ଜନ ଧମକ

ବାଲିଗୁଡା,୫ା୨(ଡି.ଏନ୍‌.ଏ.): ଶ୍ମଶାନ ନ ହେଲେ ଭୋଟ ଦେବୁନାହିଁ ବୋଲି ବାଲିଗୁଡା ଏନଏସିର ୩ ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି। ଏନ୍‌ଏସିର ସବୁଠୁ ବଡ଼ ସାହି ହେଉଛି ନୂଆସାହି। ଏନ୍‌ଏସିର ୫, ୬ ଓ ୭ନମ୍ବରରେ ୬ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିଲେ ମଧ୍ୟ ସ୍ଥାୟୀ ଶ୍ମଶାନ ଚିହ୍ନଟ ହୋଇନାହିଁ l ଦୀର୍ଘ ବର୍ଷ ହେଲା ଶ୍ମଶାନ ସ୍ଥାନ ଚିହ୍ନଟ ହୋଇ ନ ଥିବାରୁ ଲୋକେ ସେଠାରେ ଘର କରି ରହିଲେଣି ।

ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆଙ୍କ କବଳରେ ଶ୍ମଶାନ ଜମି। ଧୀରେ ଧୀରେ ଏହି ଜମି ସଂକୁଚିତ ହେଲାଣି l ମଶାଣିରେ ଶବଗୃହ, ଆଲୁଅ ଓ ପାଣି ବ୍ୟବସ୍ଥା ନାହିଁ l ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨ ବର୍ଷ ତଳେ ଶହୀଦ ବିଏସ୍‌ଏଫ ଯବାନ ଦିନେଶ ପାତ୍ରଙ୍କ ଶେଷକୃତ୍ୟ ଅବରରେ ସ୍ଥାନୀୟ ବିଧାୟକ ଏବଂ ଜିଲା ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ୱାର୍ଡ଼ବାସୀଙ୍କ ଅଭିଯୋଗ କ୍ରମେ ଖୁବଶୀଘ୍ର ମଶାଣିର ଜମି ଚି଼ହ୍ନଟ, ଶବଗୃହ ପାଚେରୀ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଥିଲା। ହେଲେ ପ୍ରତିଶ୍ରୁତି ଏବେ ପାଣିରେ ଗାର ବୋଲି ୱାର୍ଡବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ମଶାଣିର ଜମି ଚିହ୍ନଟ କରି କାମ ଆରମ୍ଭ ନ ହେଲେ ଆଗାମୀ ପୌର ନିର୍ବାଚନ ବର୍ଜନ କରିବାକୁ ୩ ଓ୍ବାର୍ଡବାସୀ ଚେତାବନୀ ଦେଇଛନ୍ତି।