କୋଟଗଡ଼ ଅଞ୍ଚଳର ଧମକପୂର୍ଣ୍ଣ ମାଓବାଦୀ ପୋଷ୍ଟର : ୭ ଜିଲାରେ ବନ୍ଦ ଡାକରା

କୋଟଗଡ଼,୧୪।୫(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଥାନା ଅଞ୍ଚଳର ବଣ୍ଡାପିପିଲି ସ୍କୁଲ ନିକଟ ଗଛରେ ବ୍ୟାନର ପୋଷ୍ଟର ଲାଗିଥିବା ରବିବାର ସକାଳୁ ଲୋକେ ଦେଖିବାକୁ ପାଇଛନ୍ତି । ୧୨ ଦଫା ଦାବି ନେଇ ମାଓବାଦୀଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖ ସୋମବାର ୭ ଜିଲାକୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବ୍ୟାନର ଓ ପୋଷ୍ଟରେ ଉଲ୍ଲେଖ ରହିଛି । ଏହି ପୋଷ୍ଟରରେ ଆଦିବାସୀ ଦଳିତଙ୍କୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦିଆଯିବା, ସବୁ ଗାଁକୁ ସବୁ ଦିନିଆ ପକ୍କା ରାସ୍ତା, ସ୍ବଚ୍ଛ ପିଇବା ପାଣି, ବିଦ୍ୟୁତ୍‌ ସଂଯୋଗ, ମାଗଣାରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ, ପ୍ରତି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆଦର୍ଶ ସ୍କୁଲ ଖୋଲିବା, ଆଦିବାସୀ ଦଳିତ ଛାତ୍ରୀଛାତ୍ରଙ୍କୁ ମାସିକ ୩ ହଜାର ଟଙ୍କା ସହ ବାର୍ଦ୍ଧକ୍ୟ , ଭିନ୍ନକ୍ଷମ, ବିଧବା ଆଦି ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେବା ଆଦି ଦାବି ହୋଇଛି। ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।