ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ମାମଲା ନଂ.୩୫୧/୨୬ ବିଏନ୍ଏସର ଦଫା – ୩୧୬(୨/୨୯୬/୩୫୧(୨) ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ସୁଚାନାନୁସାରେ, ଚୁଡୁଙ୍ଗପୁର ଗ୍ରାମର ଏମ.ସୁଷମା ପାତ୍ର ଗତ ୧୨ ତାରିଖରେ ଦିଗପହଣ୍ଡି ହୋଣ୍ଡା ସୋରୁମରୁ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି (ନଂ. ଓଡ଼ି୦୭ବିଏଫ୍ – ୯୬୭୫) ଫାଇନାନ୍ସ ରେ କିଣିଥିଲେ । ବି. କାଳିଆ ପାତ୍ର ଉକ୍ତ ହୋଣ୍ଡା ସୋରୁମରେ ତାଙ୍କୁ ସାକ୍ଷାତ କରି ଆନୁସଙ୍ଗିକ ସହଯୋଗ କରିଥିଲେ । ଗତ ୧୮ ତାରିଖରେ ଅଭିଯୁକ୍ତ କାଳିଆ ସୁଷମାଙ୍କ ଘରକୁ ଆସି କୌଶଳକ୍ରମେ ସ୍କୁଟିକୁ ମାଗି ନେଇଥିଲେ। କିନ୍ତୁ ସେ ସ୍କୁଟିକୁ ୫ ଦିନ ଯାଏ ପାଖରେ ରଖି ଫେରାଇ ନଥିଲେ। ସୁଷମା ତାଙ୍କୁ ଫୋନ କରି ତୁରନ୍ତ ତାଙ୍କ ସ୍କୁଟି ଫେରାଇବାକୁ କହିବାରୁ ସେ ପୁରୀରେ ଥିବା କହିବା ସହ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଗତ ରବିବାର ସୁଷମା ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ବୁଧବାର ସକାଳ ପ୍ରାୟ ୮ ଟାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଆକ୍ଟିଭା ସ୍କୁଟିକୁ ଜବତ କରିଥିଲେ ।

 

Dharitri – Odisha’s No.1 Odia Daily

Share