ପ୍ରାର୍ଥିପତ୍ର ଫେରାଇ ନେବାକୁ ମିଳୁଛି ଧମକ

ଝାରସୁଗୁଡ଼ା ଅଫିସ,୨୫।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରାର୍ଥୀମାନେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ କିଭଳି ପରାସ୍ତ କରିବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ହେଲେ କେଉଁଠି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଅର୍ଥ ପ୍ରଲୋଭନ ତ ଆଉ କେଉଁଠି ଧମକଚମକ ଦେଇ ଭୟଭୀତ କରାଯାଉଛି। ଏଭଳି ଅଭିଯୋଗ ହୋଇଛି ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ୧ ନଂ ଜିଲା ପରିଷଦ ଜୋନ୍‌ରେ। ଏହି ଜୋନ୍‌ର ଭାଜପା ଜିଲା ପରିଷଦ ପ୍ରାର୍ଥୀ ଶବ୍ୟାସିନୀ ପ୍ରଧାନଙ୍କୁ କେତେଜଣ ବ୍ୟକ୍ତି ଅର୍ଥ ପ୍ରଲୋଭନ ଦେଖାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଚାପ ପକାଇଥିଲେ। ଏପରି କି ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ସେହିପରି ସ୍ଥାନୀୟ ଭାଜପା ମଣ୍ଡଳ ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ କେତେଜଣ ଯୁବକ ଧମକ ଚମକ ଦେଇଥିଲେ। ଏ ନେଇ ଉଭୟ ଲଇକେରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ପୃଥକ୍‌ ମାମଲା (ନଂ.୧୭ ଓ ୧୮/୨୨) ରୁଜୁକରି ତଦନ୍ତ ଚଳାଇଛି।

ଜିଲା ଭାଜପା ପକ୍ଷରୁ ଜିଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ସରୋଜ କୁମାର ସାମଲ, ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ଜିଲା ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହିତ ପ୍ରାର୍ଥୀଙ୍କ ସୁରକ୍ଷା ଦାବି କରିଛନ୍ତି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲା ଉପସଭାପତି ସଞ୍ଜୟ ସିଂହ, ସାଧାରଣ ସମ୍ପାଦକ ବିମଳେନ୍ଦୁ ଭୋଳ, କୋଷାଧ୍ୟକ୍ଷ ମହେନ୍ଦ୍ର କେଡିଆ ପ୍ରମୁଖ ଉପସ୍ଥିତଥିଲେ ା ଏନେଇ ଏସ୍‌ପି ଦାସ କହିଛନ୍ତି, ଏହାର ତଦନ୍ତଭାର ଲଇକେରା ଥାନା ଆଇଆଇସିଙ୍କୁ ଦିଆଯାଇଥିବା ବେଳେ ଏସ୍‌ଡିପିଓ ଏହାର ତଦାରଖ କରୁଛନ୍ତି।