ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇଲା,ରୁଷିଆ ସୀମାରେ ନାଟୋର ମିଳିତ ସମରାଭ୍ୟାସ…

ମସ୍କୋ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବାବେଳେ ନାଟୋର କାର୍ଯ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ସୋମବାରଠାରୁ ନାଟୋର ମିଳିତ ସୈନ୍ୟବାହିନୀ ପକ୍ଷରୁ ରୁଷିଆ ସୀମାରେ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ନାଟୋର ୩୫ ହଜାରରୁ ଅଧିକ ସୈନ୍ୟ ଯୋଗ ଦେଇଛନ୍ତି। ଏହାଦ୍ୱାରା ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି।

ଏହି ସମରାଭ୍ୟାସରେ ୨୦୦ ଯୁଦ୍ଧ ବିମାନ ଏବଂ ୫୦ ଯୁଦ୍ଧପୋତକୁ ସାମିଲ କରାଯାଇଛି। ଏହି ସମରାଭ୍ୟାସ ଆରମ୍ଭ କରିବାର ଗୋଟିଏ ଦିନ ପୂର୍ବରୁ ରୁଷିଆ ନାଟୋକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଯାଇ ୟୁକ୍ରେନର ପଶ୍ଚିମ ସୀମାରେ ଥିବା ଏକ ସାମରିକ ତାଲିମ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଛି। ଏଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩୪ ଜଣ ଆହତ ହୋଇଛନ୍ତି।

ଏହି ଅଞ୍ଚଳ ନାଟୋ ସଦସ୍ୟ ପୋଲାଣ୍ଡ ସହିତ ସୀମାଠାରୁ ୨୫ କିଲୋମିଟର ଦୂରରେ ଥିବା କୁହାଯାଉଛି। ଏହି ବିଶାଳ ସାମରିକ ତାଲିମ କେନ୍ଦ୍ର ଉପରେ ୩୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି କେନ୍ଦ୍ରର ପ୍ରଶିକ୍ଷକମାନେ ଆମେରିକା ଏବଂ ନାଟୋର ବୋଲି କୁହାଯାଉଛି।

ରୁଷିଆର ଏଭଳି କାର୍ଯ୍ୟ ପରେ ନାଟୋ ବାହିନୀ ଏବେ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ସେ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ନାଟୋ ସକ୍ରିୟ ଯୁଦ୍ଧରେ ସାମିଲ ହେଲେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ନେଇ ଆଶଙ୍କା ବୃଦ୍ଧି ପାଉଛି।

Share