ଟିଟିପି ଶିବିରରେ ଆକ୍ରମଣ ହେଲେ ତାଲିବାନ-ପାକିସ୍ତାନ ଯୁଦ୍ଧ ହେବା ଆଶଙ୍କା…

ଇସଲାମାବାଦ,୭।୧ : ଶେହବାଜ ସରିଫ ସରକାର ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଶିବିର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ କ୍ରୋଧ ବୃଦ୍ଧି ପାଇଛି। ପାକିସ୍ତାନର ଜାତୀୟ ସୁରକ୍ଷା କମିଟି ବୈଠକ ପରଠାରୁ ଇସଲାମାବାଦର ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ସୀମା ନିର୍ବିଶେଷରେ ଆଫଗାନିସ୍ତାନର ଟିଟିପି ବେସ ଉପରେ ପାକିସ୍ତାନୀ ସେନା ଆକ୍ରମଣ କରିପାରେ।

ବୈଠକରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା ଯେ ପାକିସ୍ତାନ ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ କୌଣସି ଦେଶରେ ଆଶ୍ରୟ ଦେବାକୁ ଅନୁମତି ଦିଆଯିବ ନାହିଁ। ଏହି ବୈଠକର ଠିକ ପୂର୍ବରୁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲା କହିଛନ୍ତି ଯେ ଯଦି କାବୁଲରେ ତାଲିବାନ ସରକାର ଟିଟିପି ଆଶ୍ରୟ ନେବେ ତେବେ ପାକିସ୍ତାନର ସେନା ଆଫଗାନିସ୍ତାନ ଭିତରକୁ ଯାଇ ଆତଙ୍କବାଦୀ ସଂଗଠନର ବେସ ଉପରେ ଆକ୍ରମଣ କରିବ। ତା’ପରେ ତାଲିବାନ ସରକାର ସନାଉଲ୍ଲାଙ୍କ ବିବୃତ୍ତିକୁ ଉତ୍ତେଜକ ବୋଲି କହି ଏହାର ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା କରିବ ବୋଲି କହିଥିଲେ।

ନିକଟରେ ଟିଟିପି ଦ୍ୱାରା ହୋଇଥିବା ଆକ୍ରମଣରେ ପାକିସ୍ତାନ ସରକାର ପ୍ରବଳ ଚାପରେ ଅଛନ୍ତି। ଶୁକ୍ରବାର ଦିନ ହଜାର ହଜାର ଲୋକ ଦକ୍ଷିଣ ୱାଜିରିସ୍ତାନ ପ୍ରଦେଶର ୱାନାଠାରେ ଏକ ଶୋଭାଯାତ୍ରା କରି ଆତଙ୍କବାଦୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କେତେକ ବିଶ୍ଳେଷକ କହିଛନ୍ତି ଯେ ଦେଶର ଆଭ୍ୟନ୍ତରୀଣ ଅସ୍ଥିରତା ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ଆଫଗାନିସ୍ତାନ ବିରୋଧରେ ଏକ ନୂଆ ମୋର୍ଚ୍ଚା ଖୋଲିବାକୁ ଚାହୁଁନାହାଁନ୍ତି। କିନ୍ତୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share