ଛତ୍ରପୁର, ୨୧।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ମାରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଏଯାଏ ଗିରଫ କରିପାରିନାହିଁ। ଘଟଣାକୁ ୧୪ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ରହିଛି। ଏପରି ସ୍ଥଳେ ବାହାରେ ଆରାମରେ ବୁଲୁଥିବା ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ସପରିବାର ଏସ୍ପି ଅଫିସ ସମ୍ମୁଖରେ ଆତ୍ମହୂତି ଦେବୁ ବୋଲି ଆକ୍ରମଣର ଶିକାର ହୋଇଥିବା ବସନ୍ତ ମାଳୀଙ୍କ ସ୍ତ୍ରୀ ଶିବାନୀ ମଳୀ ଚେତାବନୀ ଦେଇଛନ୍ତି।
ଖବରରୁ ପ୍ରକାଶ, ଗତ ୮ ତାରିଖ ରାତିରେ ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମର ବସନ୍ତ ବୁଲେଟ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ଛକରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ସେ ଗାଡ଼ି ଷ୍ଟାର୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ ରିତେଶ ମାଳି, ରାଜା ମାଳି ଓ ପବିତ୍ର ସାହୁ ତାଙ୍କୁ ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ବସନ୍ତଙ୍କ ମୁଣ୍ଡରେ ରିତେଶଙ୍କ ଖଣ୍ଡା ଚୋଟ ଯୋଗୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ବର୍ତ୍ତମାନ ସୁଦ୍ଧା ବସନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜଣେ ହୋମଗାର୍ଡ ଅଭିଯୁକ୍ତଙ୍କ ସମ୍ପର୍କୀୟ ହୋଇଥିବାରୁ ତଦନ୍ତକୁ ପ୍ରଭାବିତ କରୁଥିବା ଶିବାନୀ କହିଛନ୍ତି। ତେବେ ଏ ସମ୍ପର୍କରେ ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି ଯେ, ଏନେଇ ଅଭିଯୋଗ ପରେ ରମ୍ଭା ଥାନାରେ ନଂ. ୭୯୦/୨୬ରେ ମାମଲା ରୁଜୁ ହୋଇଛି।
ହୁମା ଫାଣ୍ଡି ଅଧିକାରୀ ଏସ୍ଆଇ ବିନୟ ଦାସ ଏହାର ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ ଏହି ଆକ୍ରମଣର ସିସିଟିଭି ଫୁଟେଜ ଏବେ ଭାଇରାଲ ହେଉଛି। ଘଟଣାକୁ ୧୬ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶିବାନୀ ଗଞ୍ଜାମ ଏସ୍ପିଙ୍କୁ ଭେଟିଛନ୍ତି। ଅଭିଯୁକ୍ତମାନେ ବାହାରେ ବୁଲିବା ସହ ତାଙ୍କ ପରିବାରକୁ ହତ୍ୟା ଧମକ ଦେଉଛନ୍ତି ବୋଲି ଶିବାନୀ ଅଭିଯୋଗ କରିଛନ୍ତି।
ପରିବାରକୁ ତୁରନ୍ତ ନ୍ୟାୟ ନ ମିଳିଲେ ସେ ପରିବାର ସହ ଏସ୍ପି ଅଫିସ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୧୧ ତାରିଖରେ ଶିବାନୀ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେତେବେଳେ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି।