ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇବେ ହଜାରେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲା ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୧ ହଜାର ମେଧାବୀ ଛାତ୍ରୀଛାତ୍ରଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ୧,୦୬୫ଜଣ ଆବେଦନ କରିଛନ୍ତି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଏହାର ତର୍ଜମା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ସ୍ତରରେ ୧୦ ହଜାର ଛାତ୍ରୀଛାତ୍ରଙ୍କୁ ୨ ବର୍ଷ ପାଇଁ କନିଷ୍ଠ ମେଧାବୃତ୍ତି ପ୍ରଦାନ ଲାଗି ଅନ୍‌ଲାଇନ୍‌ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ଲାଗି ବିଧିବଦ୍ଧ ଭାବେ ବିଏସ୍‌ଇ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଫ୍‌ଏଲ୍‌ଏନ୍‌କୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ଏସ୍‌ସିଇଆର୍‌ଟି ଏବଂ ଓସେପା ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ହାତକୁ ନେବେ। ପ୍ରତି ମାସରେ ପେଡାଗୋଜି କୋଅର୍ଡିନେଟରଙ୍କ ସମୀକ୍ଷା ବୈଠକ କରାଯିବ। ସହକାରୀ ଜିଲା ଶିକ୍ଷାଧିକାରୀ ଜିଲାସ୍ତରରେ ଏହାର ଦାୟିତ୍ୱରେ ରହିବେ। ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ନଭେମ୍ବର ୩୦ ସୁଦ୍ଧା ସରିବ। ହିନ୍ଦୀ, ପିଇଟି ଓ ସଂସ୍କୃତ ଶିକ୍ଷକ ପରୀକ୍ଷାର ଫଳ ପ୍ରକାଶ ପାଇଛି। ତେଣୁ ଆବଶ୍ୟକତା ଭିତ୍ତିରେ ଜିଲାଗୁଡ଼ିକରେ ସେମାନଙ୍କ ପୋଷ୍ଟିଂ ପାଇଁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରୂପାନ୍ତରିତ ସ୍କୁଲ ଏବଂ ‘ମୋ ସ୍କୁଲ’ର ସୁପରିଚାଳନା ପାଇଁ ସମ୍ପତ୍ତି ରେଜିଷ୍ଟେର, ସୂଚନା ଫଳକ ଏବଂ ସାମାଜିକ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିମାସ ଦ୍ବିତୀୟ ଶନିବାର ଅଭିଭାବକ, ଶିକ୍ଷକ ବୈଠକ କରାଯିବା ପାଇଁ ସ୍ଥିର କରାଯାଇଛି। ଓସେପା ପକ୍ଷରୁ ଦିଆଯାଇଥିବା ଅର୍ଥର ବିନିଯୋଗ, ପ୍ରତ୍ୟେକ ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ, ଷଷ୍ଠ ଓ ସପ୍ତମ ଛାତ୍ରୀଛାତ୍ରଙ୍କ ପାଇଁ ସହପାଠ୍ୟ କାର୍ଯ୍ୟକ୍ରମ ସହିତ ସେମାନଙ୍କ ଶିକ୍ଷଣ ସ୍ଥିତି ଆକଳନ ଲାଗି ବେସ୍‌ଲାଇନ୍‌ ଟେଷ୍ଟ ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଭାଗୀୟ ଅଧିକାରୀ, ଜିଲା ଶିକ୍ଷାଧିକାରୀ ଓ ଜିଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ।