ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର
ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା ଦତ୍ତପୁରବେତାଳିଗାଁ ନିକଟରେ ବୈତରଣୀ ନଦୀ ଉପରେ ଏକ ସ୍ଥାୟୀ ସେତୁ ନିର୍ମାଣ। ଏହି ଦାବିକୁ ପୂରଣ କରିବା ପାଇଁ ୨୦୧୯ରେ ସେତୁ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ସେତେବେଳେ ଅଞ୍ଚଳବାସୀ ମନେ କରିଥିଲେ ଯେ ବର୍ଷବର୍ଷର ସମସ୍ୟାର ଅବସାନ ଘଟିବ ଏବଂ ଯାତାୟାତ ବ୍ୟବସ୍ଥା ସୁଗମ ହେବ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି, ସେତୁ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆପ୍ରୋଚ ରୋଡ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ସେତୁ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଆପ୍ରୋଚ ରୋଡ କେବେ ହେବ, ସେତୁ କେବେ ସମ୍ପୂର୍ଣ୍ଣ ହୋଇ ଲୋକଙ୍କ ପାଇଁ ଖୋଲାଯିବ, ସେନେଇ ଠିକାଦାର, ଜିଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଓ ଭରସାଯୋଗ୍ୟ ସୂଚନା ମିଳୁନାହିଁ।
ସେତୁ ନିର୍ମାଣରେ ବିଳମ୍ବ ଯୋଗୁ ଆଜି ମଧ୍ୟ ହଜାର ହଜାର ଲୋକ ନଦୀ ପାର ହେବା ପାଇଁ ବିପଦସଙ୍କୁଳ ବାଉଁଶ ଚାରା ଉପରେ ନିର୍ଭର କରୁଛନ୍ତି। ପ୍ରତିଦିନ ଛାତ୍ରଛାତ୍ରୀ, ଚାଷୀ, ଶ୍ରମିକ ଓ ସାଧାରଣ ଲୋକ ଜୀବନକୁ ବାଜି ଲଗାଇ ଏହି ଚାରା ଦେଇ ଯାତାୟାତ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ବାଉଁଶ ଚାରାରୁ ଖସିପଡ଼ି ଅନେକ ଲୋକ ପ୍ରାଣ ହରାଇଥିବା ସହ ଅନେକେ ଆହତ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାତ୍ର ସାତ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ବର୍ଷା ଋତୁ ଆସୁଥିବା ବେଳେ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବାଉଁଶ ଚାରା ଉପରେ ଯାତାୟାତ ଆହୁରି ବିପଦପୂର୍ଣ୍ଣ ହେବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ଅଞ୍ଚଳବାସୀଙ୍କ ଦାବି, ସରକାର ଓ ପ୍ରଶାସନ ତୁରନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରି ସେତୁର ଆପ୍ରୋଚ ରୋଡ କାର୍ଯ୍ୟକୁ ତ୍ୱରାନୱିତ କରନ୍ତୁ। ନଚେତ୍ ଲୋକଙ୍କ ଜୀବନ ସହ ଚାଲିଥିବା ଏହି ଖେଳ ଆଗାମୀ ଦିନରେ ଆହୁରି ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ।

Odisha’s No.1 Odia Daily

Share