ଆମେରିକାର ଏହି ସ୍ଥାନରେ ରୁହନ୍ତି ହଜାର ହଜାର ଭାରତୀୟ, ଯେଉଁଠି ହୋଇଥିଲା ଭୟଙ୍କର ନରସଂହାର

ଆମେରିକାର ଜର୍ଜିଆ ରାଜ୍ୟର ଫୋର୍ସିଥ କାଉଣ୍ଟି କେବେ ନା କେବେ ଜାତୀୟ ହିଂସା ଏବଂ ଭେଦଭାବ ପାଇଁ ଜଣାଶୁଣା ଥିଲା। ପ୍ରାୟ ଦୁଇ ଶତାବ୍ଦୀ ପୂର୍ୱେ ଏହି ଅଞ୍ଚଳରୁ ମୂଳ ଆମେରିକୀୟ ଚେରୋକି ସମ୍ପ୍ରଦାୟଙ୍କୁ ସେମାନଙ୍କର ପୈତୃକ ଜମିରୁ ବେଦଖଲ କରାଯାଇଥିଲା। ପରେ ଅଶ୍ୱେତ ଲୋକମାନଙ୍କୁ ମଧ୍ୟ ହିଂସା ଏବଂ ର୍ନିଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଆଜି ଏହି ମାଟିରେ ହଜାର ହଜାର ଭାରତୀୟ ପରିବାରେ ନିଜର ନୂତନ ଘର ତିଆରି କରୁଛନ୍ତି। ଆଳିଶାନ ମକାନ, ଭାରତୀୟ ମନ୍ଦିର, କିରାଣା ଦୋକାନ ଏବଂ ମିଠା ଦୋକାନଗୁଡ଼ିକ ଏହି ଅଞ୍ଚଳକୁ ଏକ ’ମିନି ଇଣ୍ଡିଆ’ର ରୂପ ଦେଉଛନ୍ତି। ଯଦିଓ ଭାରତୀୟ ସମ୍ପ୍ରଦାୟର ବୃଦ୍ଧି ପାଉଥିବା ଉପସ୍ଥିତି ରହିଛି, ତଥାପି ସ୍ଥାନୀୟ ଲୋକଙ୍କ ସହିତ ମିଳାମିଶା କରିବା ପ୍ରସଙ୍ଗଟି ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି।

ଫୋର୍ସିଥ କାଉଣ୍ଟିରେ ଭାରତୀୟଙ୍କ ଜନସଂଖ୍ୟା ୨୦୦୦ ମସିହାରେ ମାତ୍ର ୧୬୦ ଥିଲା, ଯାହା ବର୍ତ୍ତମାନ ବୃଦ୍ଧି ପାଇ ପ୍ରାୟ ୫୨ ହଜାରରେ ପହଞ୍ଚିଛି। ଏଠାକାର ମୋଟ ଜନସଂଖ୍ୟାରେ ଭାରତୀୟଙ୍କ ଅଂଶଗ୍ରହଣ ପ୍ରାୟ ୧୬ ପ୍ରତିଶତ ଅଟେ। ଏହି ମାମଲାରେ ଭାରତୀୟ ସମ୍ପ୍ରଦାୟ ଶ୍ୱେତାଙ୍ଗ ଆମେରିକୀୟଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ୱେତାଙ୍ଗ ଜନସଂଖ୍ୟା ପ୍ରାୟ ୬୩.୫ ପ୍ରତିଶତ ଅଟେ। ଜର୍ଜିଆରେ ଭାରତୀୟମାନଙ୍କ ବସତି ସ୍ଥାପନର ଆରମ୍ଭ ୧୯୬୦ ଦଶକରେ ହୋଇଥିଲା। ସେହି ସମୟରେ ଅଧିକାଂଶ ଭାରତୀୟ ପାଠପଢ଼ା ଏବଂ ଏକାଡେମିକ କ୍ଷେତ୍ର ସହିତ ଜଡ଼ିତ ଥିଲେ। ଅବଶ୍ୟ, ୧୯୯୦ ଦଶକର ଶେଷ ପରେ ଏଠାରେ ଭାରତୀୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା।

ଫୋର୍ସିଥ କାଉଣ୍ଟି ଭାରତୀୟ ପ୍ରବାସୀମାନଙ୍କ ପାଇଁ ଏକ ପସନ୍ଦର ଠିକଣା ପାଲଟିଛି। ଏହାର କାରଣ ହେଉଛି ଏଠାରେ ପୂର୍ୱରୁ ଥିବା ଭାରତୀୟ ସମ୍ପ୍ରଦାୟ, ଭଲ ସ୍କୁଲ, ମନ୍ଦିର ଏବଂ ଭାରତୀୟ ସାମଗ୍ରୀର ଉପଲବ୍ଧତା। ‘ୟୁଏସଏ ଇଣ୍ଡିଆ ବିଜ୍ଞାନ ସମିତି’ର କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅନି ଅଗ୍ନିହୋତ୍ରୀଙ୍କ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକର ହାରାହାରି ବାର୍ଷିକ ଆୟ ପ୍ରାୟ ୧.୫ ଲକ୍ଷ ଡଲାର ଅଟେ, ଯାହା ଆମେରିକୀୟ ହାରାହାରିଠାରୁ ବହୁତ ଅଧିକ। ଏହାଦ୍ୱାରା ସ୍ଥାନୀୟ ଅର୍ଥନୀତି ଲାଭାନୱିତ ହୋଇଛି, କିନ୍ତୁ ଆର୍ଥିକ ଅସମାନତା ଏବଂ ସାମାଜିକ ଦୂରତାକୁ ନେଇ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି।

ଏଠାରେ ଭାରତୀୟ କିରାଣା ଦୋକାନ, ମିଠା ଦୋକାନ, ପୋଷାକ ଶୋ’ରୁମ ଏବଂ ରେସ୍ତୋରାଁଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରେଟର ଆଟଲାଣ୍ଟା ଅଞ୍ଚଳରେ ପ୍ରାୟ ୧୦୦ଟି ହିନ୍ଦୁ ମନ୍ଦିର ରହିଛି। ଗଣେଶ ଚତୁର୍ଥୀ ଏବଂ ଦୀପାବଳି ପରି ପର୍ୱଗୁଡ଼ିକ ମଧ୍ୟ ବଡ଼ ଆକାରରେ ପାଳନ କରାଯାଏ।

ଫୋର୍ସିଥର ଇତିହାସ ଅତ୍ୟନ୍ତ ମର୍ମନ୍ତୁଦ ରହିଛି। ୧୯୧୨ ମସିହାରେ ଜଣେ ଶ୍ୱେତାଙ୍ଗ ଯୁବତୀଙ୍କ ହତ୍ୟା ପରେ ଅଶ୍ୱେତ ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ଭୟଙ୍କର ରୂପ ନେଇଥିଲା। ରବ ଏଡୱାର୍ଡସ ନାମକ ଜଣେ ଅଶ୍ୱେତ ବ୍ୟକ୍ତିଙ୍କୁ ଜନତା ହତ୍ୟା କରିଥିଲେ। ଏହାପରେ ଅନ୍ୟ ଦୁଇଜଣ ଅଶ୍ୱେତ ଲୋକଙ୍କୁ ଫାଶୀ ଦିଆଯାଇଥିଲା ଏବଂ ସେହି ଅଞ୍ଚଳର ଅଶ୍ୱେତ ପରିବାରଗୁଡ଼ିକୁ ଜବରଦସ୍ତି ବେଦଖଲ କରାଯାଇଥିଲା। ୧୯୮୭ ମସିହାରେ ମଧ୍ୟ ନାଗରିକ ଅଧିକାର କର୍ମୀଙ୍କ ଶାନ୍ତମୟ ଶୋଭାଯାତ୍ରା ସମୟରେ ଶ୍ୱେତାଙ୍ଗ ଲୋକମାନେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ।

ଏହାପୂର୍ୱରୁ ୧୮୩୦ ଦଶକରେ ଚେରୋକି ସମ୍ପ୍ରଦାୟଙ୍କୁ ମଧ୍ୟ ସେମାନଙ୍କ ଜମିରୁ ହଟାଇ ଓକ୍ଲାହୋମା ପଠାଇ ଦିଆଯାଇଥିଲା। ଏହି ଘଟଣାକୁ ଆମେରିକୀୟ ଇତିହାସରେ ‘ଟ୍ରେଲ ଅଫ ଟିୟର୍ସ’ (ଲୁହର ରାସ୍ତା) ନାମରେ ଜଣାଯାଏ।

Share