ନୂଆଦିଲ୍ଲୀ,୧ା୯(ପି.ଟି.): ୧୯୦୧ ପରେ ଗତ ଅଗଷ୍ଟ ସବୁଠାରୁ ଅଧିକ ଉତ୍ତପ୍ତ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ରେକର୍ଡରୁ ଜଣାପଡ଼ିଛି । ଆଇଏମ୍ଡି ପକ୍ଷରୁ ପ୍ରକାଶିତ ମାସିକ ପୂର୍ବାନୁମାନ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରଭାବ ଯୋଗୁ ସେପ୍ଟେମ୍ବରରେ ମଧ୍ୟ ସ୍ବାଭାବିକଠାରୁ କମ୍ ବର୍ଷା ଏବଂ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏକ ବିବୃତିରେ କହିଛନ୍ତି ଯେ, ଅଗଷ୍ଟ ମାସରେ ଦେଶର ହାରାହାରି ତାପମାତ୍ରା ୨୮.୦୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ସ୍ବାଭାବିକ ହାରାହାରି ତାପମାତ୍ରା ୨୭.୩୪ ଡିଗ୍ରୀଠାରୁ ଯଥେଷ୍ଟ ଅଧିକ। ସେହିପରି ଅଗଷ୍ଟ ମାସର ହାରାହାରି ସର୍ବନିମ୍ନ (ରାତିର) ତାପମାତ୍ରା ମଧ୍ୟ ୧୯୦୧ ପରଠାରୁ ସର୍ବାଧିକ ୨୪.୩୬ ଡିଗ୍ରୀ ଛୁଇଁଛି, ଯାହା ସ୍ବାଭାବିକ ଭାବେ ୨୩.୬୮ ଡିଗ୍ରୀ ରହିବା କଥା। ତାପମାତ୍ରା ବୃଦ୍ଧି ସହ ଅଗଷ୍ଟରେ ମାତ୍ର ୨୧୩.୩ ମିଲିମିଟର ବର୍ଷା ହୋଇଛି, ଯାହା ୨୦ ବର୍ଷ ମଧ୍ୟରେ ସପ୍ତମ ସର୍ବନିମ୍ନ ବର୍ଷା ବୋଲି ସେ କହିଛନ୍ତି। ଏଭଳି ଅସ୍ବାଭାବିକ ପାଣିପାଗ ପାଇଁ ପ୍ରଶାନ୍ତ ମହାସାଗରରେ
ସୃଷ୍ଟି ହୋଇଥିବା ମଧ୍ୟମରୁ ଶକ୍ତିଶାଳୀ ‘ଏଲ୍ ନିନୋ’ ସ୍ଥିତି ପ୍ରମୁଖ କାରଣ ହୋଇଛି। ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଯୋଗୁ ମୌସୁମୀ ପ୍ରଭାବିତ ହୋଇଛି। ଅଗଷ୍ଟ ମାସରେ ବାୟୁମଣ୍ଡଳରେ ୪ଟି ଲଘୁଚାପ ସୃଷ୍ଟି ହୋଇ ପ୍ରାୟ ୨୬ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ମଧ୍ୟ ଏହାର ପ୍ରଭାବ କେବଳ ଗାଙ୍ଗେୟ ସମତଳ ଅଞ୍ଚଳରେ ସୀମିତ ରହିଥିଲା, ଯାହାଫଳରେ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ବର୍ଷାର ଅଭାବ ଦେଖାଦେଇଥିଲା। ଆଇଏମ୍ଡି ଅନୁଯାୟୀ ସେପ୍ଟେମ୍ବର ମାସରେ ଦେଶର ହାରାହାରି ବର୍ଷା ପରିମାଣ ଦୀର୍ଘକାଳୀନ ହାରାହାରି (ଏଲପିଏ)ର ୯୧ ପ୍ରତିଶତରୁ କମ ରହିବ, ଯାହାକୁ ‘ସ୍ବାଭାବିକଠାରୁ କମ’ ବୋଲି ଧରାଯାଏ। ସେପ୍ଟେମ୍ବର ମାସ ପାଇଁ ସ୍ବାଭାବିକ ଏଲପିଏ ବର୍ଷା ପ୍ରାୟ ୧୭.୯ ମିଲିମିଟର ହୋଇଥିବା ବେଳେ ଏଥର ଏଥିରେ ହ୍ରାସ ଘଟିବ। ଏଥିସହିତ ଚଳିତ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ସ୍ତରଠାରୁ ଅଧିକ ରହିବା ସହ ଗୁଳୁଗୁଳି ବଢ଼ିବ ବୋଲି ପାଣିପାଗ ବିଭାଗ ଚେତାବନୀ ସତର୍କ କରାଇଦେଇଛି। ଆଗାମୀ ମାସଗୁଡ଼ିକରେ ଏଲ୍ ନିନୋ ସ୍ଥିତି ଆହୁରି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।