ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ: ଆଜିଠୁ ଆବେଦନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ବିଟେକ୍‌ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କରାଯିବ। ଏଥିପାଇଁ ୨୩ରୁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୧୨ ତାରିଖ ରାତ୍ରି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଫି’ ଦାଖଲ କରିହେବ। ଯେଉଁ ଛାତ୍ରୀଛାତ୍ରମାନେ ଜେଇଇ (ମେନ୍‌) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ। ଛାତ୍ରୀଛାତ୍ରମାନେ https://ojee.nic.in/କୁ ଯାଇ ଆବେଦନ କରିବା ସହ ଅନ୍ୟାନ୍ୟ ସବିଶେଷ ତଥ୍ୟ ପାଇପାରିବେ। ପରୀକ୍ଷା ତାରିଖ ଓ ଆଡ୍‌ମିଟ୍‌ କାର୍ଡ ସମ୍ବନ୍ଧୀୟ ସୂଚନା ଠିକ୍‌ ସମୟରେ ଜଣାଇ ଦିଆଯିବ। ଅପଡେଟ୍‌ ସୂଚନା ପାଇଁ ନିୟମିତ ଭାବେ ଓଜେଇଇର ଅଫିସିଆଲ୍‌ ୱେବସାଇଟ୍‌ ପରିଦର୍ଶନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତବର୍ଷ କରୋନା ଯୋଗୁ ସ୍ବତନ୍ତ୍ର ଓଜେଇଇ ହୋଇପାରି ନ ଥିଲା। ତେବେ ଏବର୍ଷ ମହାମାରୀ ସତ୍ତ୍ବେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ୟ୍ୟାୟ ଓଜେଇଇ କାଉନସେଲିଂ ପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍‌ ସିଟ୍‌ଗୁଡ଼ିକୁ ପୂରଣ କରିବାକୁ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ।