ଚଳିତବର୍ଷ ୧ ଲକ୍ଷ ହେକ୍ଟରରେ ଅଣଧାନ ଚାଷ

ଭୁବନେଶ୍ୱର,୮।୬(ବ୍ୟୁରୋ): ୨୦୨୨-୨୩ରେ ରାଜ୍ୟରେ ୧ ଲକ୍ଷ ହେକ୍ଟରରେ ଅଣଧାନ ତଥା ପନିପରିବା, ଡାଲିଜାତୀୟ, ତୈଳବୀଜ, ନଡ଼ିଆ, ଫଳଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ପାଇଁ ୫୩୧ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ଆକ୍ସନ ପ୍ଲାନକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଏହି ଅର୍ଥ ଖର୍ଚ୍ଚ କରାଯିବ। କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ୬୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା ରହିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଆକ୍ସନ ପ୍ଲାନକୁ ଅନୁମୋଦନ କରାଯାଇଛି। ରାଜ୍ୟରେ ଉତ୍ପାଦିତ ହେଉଥିବା ପନିପରିବା, ଆମ୍ବ, ପିଜୁଳି, ଅମୃତଭଣ୍ଡା, ଲେମ୍ବୁ, ପିଆଜ, ଟମାଟୋ ଆଦିର ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ଏକ ନିର୍ଦ୍ଦିଷ୍ଟ ଆକ୍ସନ ପ୍ଲାନ କରିବା ଆବଶ୍ୟକ। ପାଣି ସିଞ୍ଚନ ଓ କ୍ଷୁଦ୍ର ଜଳସେଚନକୁ ପ୍ରୋତ୍ସାହନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବୈଠକରେ ଯୋଗ ଦେଇ କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ଯାଜପୁର ଜିଲାରେ କଦଳୀ, ପିଜୁଳି ଓ ଅମୃତଭଣ୍ଡା ଆଦି ଚାଷ କରାଯାଉଛି। ୨୦୨୧-୨୨ରେ ଏହିସବୁ ଜିଲାରେ ୧୦୧୫ ହେକ୍ଟର ଜମିରେ ଚାଷ କରାଯାଇଛି। ଏଥିପାଇଁ ୬୨ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ବୈଠକରେ ପଞ୍ଚାୟତିରାଜ ବିଭାଗ ସଚିବ ଅଶୋକା ମୀନା, ଅର୍ଥ ବିଭାଗ ସଚିବ ବିଶାଳ ଦେବ, ଜଳ ସମ୍ପଦ ବିଭାଗ ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, କୃଷି ବିଭାଗ ସ୍ବତନ୍ତ୍ର ସଚିବ ସଞ୍ଜୀବ ଚଢ଼ା ପ୍ରମୁଖ ଯୋଗ ଦେଇଥିଲେ।