ଏଥର ହୋଲିରେ ନଦୀପଠାରେ ଜଗିବେ ପୋଲିସ

ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିକୁ ନେଇ ସଜାଗ ହୋଇଛି କମିଶନରେଟ୍‌ ପୋଲିସ। ହୋଲିରେ ଅଘଟଣ ନ ଘଟିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ପେଶାଲ ସ୍କ୍ବାଡ୍‌ ଓ ଟିମ୍‌ -୬୦ ସତର୍କ ରହିବା ସହ ରାଜଧାନୀର ୩୧ଟି ସ୍ଥାନରେ ପିକେଟିଂ କରିବ। ହୋଲିରେ ନିଶାସକ୍ତ ଲୋକଙ୍କୁ ଏହି ଟିମ୍‌ ସାବାଡ କରିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏହା ସହ ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ହୋଲିରେ ହେଉଥିବା ବିଭିନ୍ନ ଦୁର୍ଘଟଣାକୁ ରୋକିବା ଲାଗି ବିଭିନ୍ନ ନଦୀପଠାରେ ପୋଲିସ୍‌ , ଓଡ୍ରାଫ୍‌ ଓ ଅଗ୍ନିଶମବାହିନୀ ନିୟୋଜିତ ହେବେ। ଏଥି ସହ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯିବ। ଗତ ବର୍ଷଗୁଡ଼ିକରେ ଭୁବନେଶ୍ୱରରେ ହୋଲିରେ ଘଟିଯାଇଥିବା ବିଭିନ୍ନ ଅଘଟଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଚଳିତ ବର୍ଷ ଏଭଳି ପଦକ୍ଷେପ ନିଆଯାଇଛି।