ଏଥର ଲଣ୍ଡନର ଐତିହାସିକ ମ୍ୟୁଜିୟମ୍‌

ବାରିପଦା ଅଫିସ,୩୦ା୯: ପୂଜାପାର୍ବଣ ସମୟରେ ବିଭିନ୍ନ ରାଜ୍ୟ ଓ ବିଦେଶର କଳାକୃତି ତୋରଣ ମାଧ୍ୟମରେ ଦେଖିବାକୁ ମିଳିଥାଏ। ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ତୁଳସୀ ଚଉରା ପୂଜା କମିଟି ଚଳିତ ବର୍ଷ ଲଣ୍ଡନର ନାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ନିର୍ମାଣ କରୁଛି। ଆଧ୍ୟାମତ୍ିକ ପରିବେଶ, ତୋରଣ, ପେଣ୍ଡାଲ ସାଜସଜ୍ଜା ଓ ଅତ୍ୟାଧୁନିକ ଆଲୋକମାଳା ଉପରେ ଗୁରୁତ୍ୱ ଦେଇ ଆସୁଥିବା ଏହି ପୂଜା କମିଟି ଏଥିଲାଗି ପ୍ରସ୍ତୁତି ଜୋରଦାର ଚଳାଇଛି।
ସଦରମହକୁମା ବାରିପଦାଠାରେ ଚଳିତ ବର୍ଷ ୨୬ଟି ସ୍ଥାନରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି ା ସେଥି ମଧ୍ୟରୁ ତୁଳସୀ ଚଉରା କମିଟି ପକ୍ଷରୁ ୩୮ବର୍ଷ ଧରି ମା’ଙ୍କ ପୂଜାକୁ ଧୂମଧାମରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮୦ଫୁଟ ଉଚ୍ଚତା ଓ ୧୫୦ଫୁଟ ଓସାର ବିଶିଷ୍ଟ ଲଣ୍ଡନର ନ୍ୟାଚୁରାଲ ହିଷ୍ଟରିକାଲ ମ୍ୟୁଜିୟମ ସଦୃଶ ତୋରଣ ଶୋଭାମଣ୍ଡନ କରିବ। ଏଥି ନିମନ୍ତେ ପଶ୍ଚିମବଙ୍ଗର ୪୦ଜଣ କାରିଗର ନିଜର ନିଖୁଣ କାରିଗରୀ କୌଶଳକୁ ସରସ ସୁନ୍ଦର କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି। କଟକ ଜିଲାରୁ ଆସିଥିବା କାରିଗରମାନେ ମା’ଙ୍କ ମୂର୍ତ୍ତି ତିଆରି କରୁଥିବା ବେଳେ ପୂଜାସ୍ଥଳକୁ ଆକର୍ଷଣୀୟ କରିବା ପାଇଁ ନୂତନ କୌଶଳ ଅବଲମ୍ବନ କରାଯାଇଛି। ଚଳିତ ବର୍ଷ ତୁଳସୀ ଚଉରା ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ୧୩ଶହରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ସହଭାଗିତାରେ ପୂଜା ଅନୁଷ୍ଠିତ ହେଉଛି। ଏହି ପୂଜା ୩୮ବର୍ଷରେ ପଦାର୍ପଣ କରିଥିବା ବେଳେ ୪୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏ ନେଇ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଏକ ୨୪ଘଣ୍ଟିଆ କାର୍ଯ୍ୟାଳୟ ଖୋଲାଯାଇଛି।
ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଇଁ ପୋଲିସ, ଟ୍ରାଫିକ, ଅଗ୍ନିଶମ, ମ୍ୟୁନସିପାଲିଟି, ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅଷ୍ଟମୀ ଓ ନବମୀ ଦୁଇ ଦିନରେ ୧୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଅନ୍ନଭୋଗ ବଣ୍ଟନ କରାଯିବା ବ୍ୟବସ୍ଥା କରାଯାଇଛି ା ମା’ଙ୍କ ପୂଜାକାର୍ଯ୍ୟ ପରିଚାଳନା ପାଇଁ ସଭାପତି ଭାବେ ଗିରିଶ ଚନ୍ଦ୍ର ଦାଶ, ସମ୍ପାଦକ ବାସୁଦେବ ପ୍ରଧାନ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାଶଙ୍କ ସମେତ କମିଟିର କର୍ମକର୍ତ୍ତାମାନେ ୩ମାସ ପୂର୍ବରୁ ପୂଜା ପ୍ରସ୍ତୁତିକୁ ଆଗେଇ ନେଇଛନ୍ତି ା