ଏଥର ୪୫ ଫୁଟର ଏଲ୍‌ଇଡି ଲାୟନ ଗେଟ୍‌

ଜଟଣୀ,୭ା୯(ରବୀନ୍ଦ୍ରନାଥ ମହାକୁଡ଼)ଆଉ ଦିନ କେଇଟା ପରେ ଗଣେଶପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏବେଠୁ କାରିଗର, ଆୟୋଜକ ଓ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାଛକ ବ୍ୟବସାୟୀ ସଂଘ ପୂଜା କମିଟି ଜୋର୍‌ଦାର ପ୍ରସ୍ତୁତି ଚଳାଇଛି।
୫୦ ବର୍ଷ ପୂର୍ବେ ଥାନା ଛକରେ ଗଣେଶପୂଜା ଆରମ୍ଭ ହୋଇଥିଲା। ଗୋକୁଳ ସାହୁ, ମହେଶ କାଛୁଓ୍ବାଲ, କାଶୀନାଥ ନାୟକ, ଝୁଲୁ ସୁନ୍ଦରାୟ, ଭାବଗ୍ରାହୀ ପାହାଡ଼ସିଂଙ୍କ ସମେତ କେତେଜଣ ବ୍ୟବସାୟୀ ଏଠାରେ ପୂଜା ଆରମ୍ଭ କରିଥିବା ଲୋକମତରୁ ଜଣାଯାଏ। ଏଥର ପୂଜାରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ନେଇ ସଂଘ ପକ୍ଷରୁ ଆକଳନ କରାଯାଇଛି। ମଣ୍ଡପରେ ୧୨ଫୁଟ ଉଚ୍ଚର ଗଜାନନଙ୍କ ସହିତ ମା’ଲକ୍ଷ୍ମୀ ଏବଂ ସରସ୍ବତୀ ପୂଜା ପାଇବେ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ୪୫ ଫୁଟ ଉଚ୍ଚର ଦୁଇଟି ଏଲ୍‌ଇଡି ଲାୟନ ଗେଟ୍‌ ଶୋଭାପାଇବ। ଠାକୁରଙ୍କ ପାଖରେ ପ୍ରତିଦିନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଜା, ଛେନା, କାକରା, ଖେଚୁଡ଼ି, ରସଗୋଲା, ଲଡୁ, ଚୁଡ଼ାଘଷା, ମାଲପୁଆ ଭଳି ବିଭିନ୍ନ ବ୍ୟଞ୍ଜନ ଭୋଗ ଲାଗି ହୋଇଥାଏ, ଯାହାକୁ କମିଟି ଏବଂ କେତେଜଣ ମାନସିକଧାରୀ ଦେଇଥାନ୍ତି। ସେହିପରି ପୂଜା ଆରମ୍ଭର ପ୍ରଥମ ଏବଂ ଶେଷଦିନର ଭୋଗ ଜଟଣୀ ଥାନା ପକ୍ଷରୁ ଆସି ଠାକୁରଙ୍କଠାରେ ଲାଗି ହୋଇଥାଏ ବୋଲି ସଭାପତି ରୋହିତାଶ ଅଗ୍ରଓ୍ବାଲ କହିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବ୍ୟବସ୍ଥା ହୋଇଛି। ପୂଜା ସମୟରେ ଜଟଣୀ ଥାନାକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥାଏ। ସମୟ ମୁତାବକ ଥାନା ଅଧିକାରୀ ପୂଜାରେ କାର୍ତ୍ତାଭାବେ ବସିଥାନ୍ତି। ପୂଜାର ଶେଷ ଦିବସ ତଥା ଭସାଣ ଶୋଭାଯାତ୍ରାରେ କମିଟି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥାଏ।