ଏଥର ଅକ୍ସିଜେନ୍‌ ରାଖୀ କିଟ୍‌

କଟକ ଅଫିସ, ୧୨ା୮: ଭାଇ-ଭଉଣୀର ସମ୍ପର୍କକୁ ଆଉଟିକେ ମଜଭୁତ କରିବା ପାଇଁ ପ୍ରତିବର୍ଷ ପାଳନ କରାଯାଏ ରକ୍ଷାବନ୍ଧନ ପର୍ବ ବା ଗହ୍ମାପୂର୍ଣ୍ଣିମା। ଆସନ୍ତା ୨୨ ତାରିଖରେ ଏହି ନିଆରା ପର୍ବ ପାଳନ ହେବାକୁ ଥିବାବେଳେ କରୋନା ମହାମାରୀ ଯୋଗୁ କଟକ ସହରର କିଛି ସ୍ଥାନରେ ରାଖୀ ଦୋକାନ ଖୋଲିଛି। ଗତବର୍ଷ କୋଭିଡ୍‌ ଯୋଗୁ ଗହ୍ମାପୂର୍ଣ୍ଣିମା ପର୍ବ ଫିକା ପଡିଥିଲା। ଚଳିତବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଏବେ ଦୋକାନରେ ଭିନ୍ନ ଧରଣର ରାଖୀ ଦେଖିବାକୁ ମିଳୁଥିବାବେଳେ ଲୋକମାନେ ଅନ୍‌ଲାଇନ୍‌ରେ କିଣିବାକୁ ପସନ୍ଦ କରୁଛନ୍ତି। ଚଳିତବର୍ଷ କଟକରେ ନୂତନ କରି ଆରମ୍ଭ ହୋଇଥିବା ଅକ୍ସିଜେନ୍‌ ରାଖୀ କିଟ୍‌ ଚାହିଦା ରହିଛି। ଏହି ରାଖୀ ଅନ୍‌ଲାଇନ୍‌ରେ ଉପଲବ୍ଧ। ଅର୍ଡର କରିବା ମାତ୍ରେ ଲୋକଙ୍କ ଘରେ ପହଞ୍ଚିଯାଉଛି ଅକ୍ସିଜେନ୍‌ ରାଖୀ କିଟ୍‌।
କରୋନା ମହାମାରୀ ସମୟରେ ରୋଜଗାର ପନ୍ଥା ଆପଣେଇଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ମୁକେଶ ମଲ୍ଲିକ, ଈଶ୍ୱର ସାହୁ, ଶେଷଦେବ ସାହୁ। ସେମାନେ ମିଶି ପ୍ରସ୍ତୁତ କରିଛନ୍ତି ଅକ୍ସିଜେନ୍‌ ରାଖୀ କିଟ୍‌। ଏକ କାଠ ଡବାରେ ଫଟୋ ରାଖୀ, ଚାଉଳ, ସାନିଟାଇଜର, ସ୍ପେଶାଲ୍‌ ସୁରକ୍ଷା ସ୍ପ୍ରେ (ଆୟୁର୍ବେଦିକ), ଚକୋଲେଟ୍‌, ସିନ୍ଦୁର, ମୋ ଭାଇ କାର୍ଡ, ଫଟୋ ଚାବି ରିଂ ଏବଂ ଏକ ଗଛ ରଖି ପ୍ରସ୍ତୁତ ହୋଇଛି ଅକ୍ସିଜେନ୍‌ ରାଖୀ କିଟ୍‌। ଏହାର ମୂଲ୍ୟ ୩୬୧ ଟଙ୍କା ରହିଛି। ଉକ୍ତ କିଟ୍‌ ବିକ୍ରି କରିବାର ମାଧ୍ୟମ ହେଉଛି ସୋସିଆଲ୍‌ ମିଡିଆ। ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌, ୟୁଟ୍ୟୁବରେ ଏହି ରାଖୀ କିଟ୍‌ର ଭିଡିଓ ଓ ଫଟୋ ପୋଷ୍ଟ କରି ଗ୍ରାହକଙ୍କୁ ଆକୃଷ୍ଟ କରିଛନ୍ତି। ନୂତନ କରି ଆରମ୍ଭ କରିଥିବା ଅକ୍ସିଜେନ୍‌ ରାଖୀ କିଟ୍‌ ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତ ହେବ ବୋଲି ଏହି ବ୍ୟବସାୟୀମାନେ ଆଶା ରଖିଛନ୍ତି।