ଏଥର କୈଳାସ ପର୍ବତ, ହାଓଡା ଷ୍ଟେଶନ ତୋରଣ

କଟକ,୧୪।୯(ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ୧୯ରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଛି କଟକ ସହର। ବିଭିନ୍ନ କ୍ଲବ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ସହରରେ ନୂଆପଡାର ଗଣେଶ ପୂଜା ବେଶ୍‌ ପ୍ରସିଦ୍ଧ। ଏଠାକାର ତୋରଣ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ। ଚଳିତବର୍ଷ ନୂଆପଡା ଅଞ୍ଚଳରେ ବିଭିନ୍ନ କ୍ଲବ ପକ୍ଷରୁ ହାଇଦ୍ରାବାଦର ଚାଓମହଲ, ରାଣୀହାଟ କ୍ଲକ୍‌ ଟାୱାର, ଭୁବନେଶ୍ୱର ରାମ ମନ୍ଦିର, କୈଳାସ ପର୍ବତ, ଘଟଗଁା ମା’ ତାରିଣୀଙ୍କ ଗେଟ୍‌ ଆକୃତିର ତୋରଣ ନିର୍ମାଣ କରାଯିବ।

ଦିବ୍ୟଜ୍ୟୋତି କ୍ଲବ
ଏଥର କ୍ଲବ ପକ୍ଷରୁ ଭୁବନେଶ୍ୱରର ରାମ ମନ୍ଦିର ଗେଟ୍‌ ଆକୃତିର ତୋରଣ ପ୍ରସ୍ତୁତ କରାଯାଉଛି। ଚଳିତବର୍ଷ ପୂଜା ବଜେଟ ପ୍ରାୟ ୫ ଲକ୍ଷ ଟଙ୍କା ରଖାଯାଇଛି। ଆସନ୍ତା ୨୯ ତାରିଖରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ମୁଖ୍ୟ ଆକର୍ଷଣ ସାଜିବେ। ଭସାଣିରେ ଶ୍ରୀକାକୁଲମର ନୂତନ ବ୍ୟାଣ୍ଡ୍‌ ଦେଖିବାକୁ ମିଳିବ। ପ୍ରତିବର୍ଷ ଭଳି ଚଳିତବର୍ଷ ଶାନ୍ତିଶୃଙ୍ଖଳାର ସହ ପୂଜା ସମ୍ପନ୍ନ କରାଯିବ ବୋଲି ସଭାପତି ସତ୍ୟନାରାୟଣ ସାମଲ ଓ ସମ୍ପାଦକ ଜିତେନ୍ଦ୍ର ପରିଡା କହିଛନ୍ତି।

ଅବତାର କ୍ଲବ
ଚଳିତବର୍ଷ ହାଇଦ୍ରାବାଦର ଚାଓମହଲ ପ୍ୟାଲେସ ସଦୃଶ ତୋରଣ ନିର୍ମାଣ କରାଯାଉଛି। ଏଥର ପୂଜା ବଜେଟ ୨.୫ଲକ୍ଷ ଟଙ୍କା ରହିଛି। ପୂଜାର ଦ୍ୱିତୀୟ ଦିନ ଖିରି ପ୍ରସ୍ତୁତ କରାଯାଇ ବଣ୍ଟନ କରାଯିବ ବୋଲି କ୍ଲବ ସଭାପତି ମୁନା ପାତ୍ର ଓ ସମ୍ପାଦକ ଚିନ୍ମୟ ନାୟକ କହିଛନ୍ତି।