Categories: ଖେଳ

ଶ୍ରୀଲଙ୍କା ସିରିଜ ପରେ ସନ୍ୟାସ ନେଇପାରନ୍ତି ଏହି ଅଲରାଉଣ୍ଡର, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୩: ଜାତୀୟ ଦଳ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ପ୍ରତିଟି କ୍ରିକେଟର ଦେଖିଥାନ୍ତି। ହେଲେ ବହୁତ କମ୍‌ ଖେଳାଳିଙ୍କୁ ଏହାର ସୁଯୋଗ ମିଳିଥାଏ। ନିକଟରେ ଅଧିନାୟକ ରୋହିତ ଶର୍ମା ଜଣେ ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦେଇଛନ୍ତି। ଏବେ ଉକ୍ତ ଖେଳାଳି ସିରିଜ ପରେ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟରେ ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିନାହିଁ। କାରଣ ପ୍ରଥମ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ବେଶ ଖରାପ ଥିଲା। ଏପରିକି ସେ ଲଗାତାର ଭାବେ ଉଇକେଟ ନେବାରେ ଅସମର୍ଥ ହେଉଛନ୍ତି। ଏଥିଲାଗି ରୋହିତ ତାଙ୍କୁ ବାଦ୍‌ ଦେଇ ଅକ୍ଷର ପଟେଲଙ୍କୁ ସ୍ଥାନ ଦେଇଛନ୍ତି।

୨୦୧୬ରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଜୟନ୍ତ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଭାରତୀୟ ଟିମ୍‌ରେ ସେ ନିଜ ସ୍ଥାନ ପକ୍କା କରିପାରିନାହାନ୍ତି। ୫ ବର୍ଷ ପରେ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ସାମିଲ କରାଯାଇଥିଲା। ସିରିଜରେ ଦୁଇଟି ମ୍ୟାଚ୍‌ ଖେଳିବାର ସୁଯୋଗ ତାଙ୍କୁ ମିଳିଥିଲା। ହେଲେ ସେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ଏକାଦଶରେ ସ୍ଥାନ ମିଳିଥିଲା। ଏଥିରେ ବି ସେ ବିଫଳ ହୋଇଥିଲେ।

ଟିମ୍‌ ଇଣ୍ଡିଆରେ ଏବେ ଯୁବ ବୋଲର୍‌ଙ୍କ ଦବ୍‌ଦବା ବଢ଼ିବାରେ ଲାଗିଛି। ଭାରତୀୟ ମଇଦାନ ସର୍ବଦା ସ୍ପିନ ଅନୁକୂଳ ରହି ଆସିଛି। ଏଭଳି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ମିଶି ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ଛଡ଼ା ଦଳରେ ଅକ୍ଷର ପଟେଲ, କୁଲଦୀପ ଯାଦବ ପ୍ରମୁଖ ସୁଯୋଗ ଅପେକ୍ଷାରେ ଅଛନ୍ତି। ଏଭଳି ସ୍ଥିତିରେ ଜୟନ୍ତଙ୍କୁ ୩୨ ବର୍ଷ ହେଲାଣି। ଏଣୁ ଶ୍ରୀଲଙ୍କା ସିରିଜ ପରେ ଜୟନ୍ତ ସନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share