Categories: ଖେଳ

ସଚିନଙ୍କ ବ୍ୟାଟ୍‌ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍‌ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍‌ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ ଆଫ୍ରିଦୀ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ବିସ୍ଫୋରକ ଇନିଂସ ଖେଳି ଏକଦିବସୀୟ କ୍ରିକେଟ୍‌ରେ ଦ୍ରୁତତ୍ତମ ଶତକ ହାସଲ କରିବାର ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ। ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ଆଫ୍ରିଦୀଙ୍କ ଏହି ରେକର୍ଡ ବଳବତ୍ତର ରହିଥିଲା। କିନ୍ତୁ ୨୦୧୫ରେ ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୩୧ ବଲରୁ ଶତକ ହାସଲ କରି ଏହି ରେକର୍ଡଙ୍କୁ ଭାଙ୍ଗି ଦେଇଥିଲେ।
ଅନେକ ହୁଏତ ଜାଣି ନ ଥିବେ ଆପ୍ରିଦୀ ଯେଉଁ ବ୍ୟାଟ୍‌ ଧରି ୩୭ ବଲରୁ ଶତକ ହାସଲ କରିଥିଲେ ତାହା କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଥିଲା। ଜଣାପଡ଼ିଛି ଯେ, ସଚିନ ସେତେବେଳେ ଓ୍ବାକର ୟୁନିସ୍‌ଙ୍କୁ ସେହି ବ୍ୟାଟ୍‌କୁ ଗିଫ୍ଟ ଆକାରରେ ପ୍ରଦାନ କରିଥିଲେ। ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ଅଜହର ମେହମୁଦ କହିଛନ୍ତି, ‘୧୯୯୬ରେ ଆଫ୍ରିଦୀ ଓ ମୁଁ ପଦାର୍ପଣ କରିଥିଲୁ। ସେହି ସମୟରେ ଶ୍ରୀଲଙ୍କାର ଦୁଇ ଓପନର୍‌ ସନଥ୍‌ ଜୟସୁରିୟା ଓ ଉଇକେଟ୍‌କିପର କାଳୁଓ୍ବିତରଣ ସେମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବିଶ୍ୱ କ୍ରିକେଟ୍‌ରେ ବେଶ୍‌ ପରିଚିତ ଥିଲେ। ସେହି କାରଣରୁ ପାକିସ୍ତାନ ମଧ୍ୟ ୩ ନମ୍ବର ସ୍ଥାନରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଖେଳାଇବାକୁ ଚାହୁଁଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଯେତେବେଳେ ୬୦ ରନରେ ପ୍ରଥମ ଉଇକେଟ୍‌ ହରାଇଲା ଅଧିନାୟକ ସଇଦ୍‌ ଅନଓ୍ବର ଆଫ୍ରିଦୀଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ପଠାଇଥିଲେ। ପୂର୍ବଦିନ ନେଟ୍ସରେ ଆଫ୍ରିଦୀ ସ୍ପିନରଙ୍କୁ ଆଟାକ୍‌ କରି ଖେଳିଥିବାରୁ ଆକ୍ରମ ତାଙ୍କ ଉପରେ ଭରସା କରି ଉପର ଅର୍ଡରରେ ବ୍ୟାଟିଂ ଛାଡ଼ିଥିଲେ। ଆଫ୍ରିଦୀ ମ୍ୟାଚ୍‌ରେ ୧୧ ଛକା ଓ ୬ ଚୌକା ସହାୟତାରେ ମାତ୍ର ୩୭ ବଲରୁ ଶତକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତେନ୍ଦୁଲକର ଯେଉଁ ବ୍ୟାଟ୍‌ ୟୁନିସଙ୍କୁ ଗିଫ୍ଟ ଦେଇଥିଲେ, ସେହି ବ୍ୟାଟ୍‌ ଧରି ଆଫ୍ରିଦୀ ଏହି ବିସ୍ଫୋରକ ଇନିଂସ ଖେଳିଥିଲେ’ ବୋଲି ଅଜହର ଏକ ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ରେ ଆଫ୍ରିଦୀ ଓ ଅନ୍‌ଓ୍ବର (୧୧୫)ଙ୍କ ଶତକ ବଳରେ ପାକିସ୍ତାନ ୩୭୧/୯ ସ୍କୋର କରିଥିଲା। ଜବାବରେ ଶ୍ରୀଲଙ୍କା ଅରବିନ୍ଦ ଡି ସିଲ୍‌ଭା (୧୨୨)ଙ୍କ ଶତକ ସତ୍ତ୍ୱେ ୨୮୯ ରନରେ ସୀମିତ ରହିଥିଲା।

Share