‘ଚଳିତ ମାସ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ’

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ଯେହେତୁ ନିକଟରେ ବଡ଼ଧରଣର ଭିଡ଼ ହୋଇଥିଲା, ତେଣୁ କୋଭିଡ୍‌ ଆଉ କିଛିମାତ୍ରାରେ ବଢ଼ିପାରେ। ସେଥିପାଇଁ ଚଳିତ ମାସ ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ମାସ ଶେଷପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ଉଚିତ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି। ସେ କହିଛନ୍ତି, ୩ରୁ ୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ। କିନ୍ତୁ ଅଧିକ ବଢ଼ୁନି। ଚିନ୍ତା କଲାଭଳି କିଛି ନାହିଁ। ସଂଖ୍ୟା ବଢ଼ୁଥିଲେ ମଧ୍ୟ ହସ୍ପିଟାଲାଇଜେଶନ ରେଟ୍‌ ବହୁତ କମ୍‌ ଅଛି। ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍‌। କୋଭିଡ୍‌ ମୁକାବିଲା ନେଇ ପୂର୍ବରୁ ଯେଉଁସବୁ ବ୍ୟବସ୍ଥା ହୋଇଥିଲା, ତାହାସବୁ ଷ୍ଟାଣ୍ଡ୍‌ବାଏ ମୋଡ୍‌ରେ ରହିଛି। ଭେଣ୍ଟିଲେଟର ଅଛି, ବେଡ୍‌ ବି ଅଛି। ଯଦି ୫୦ ପ୍ରତିଶତ ଭିତ୍ତିଭୂମି ପୂରଣ ହୋଇଯିବ, ପୁଣି ଭିତ୍ତିଭୂମି ବଢ଼ାଯିବ। ତେବେ ସାରା ଦେଶରେ କୋଭିଡ୍‌ ସଂକ୍ରମଣ କମୁଛି। ଯେଉଁ ରାଜ୍ୟରେ ବଢ଼ୁଥିଲା, ଏବେ ସେଠି ଖସୁଛି ବା ପ୍ଲାଟୋ ଅଛି। ମହାରାଷ୍ଟ୍ରରେ ସଂକ୍ରମଣ ବହୁତ କମିଲାଣି, ଦିଲ୍ଲୀରେ ଖସିଗଲାଣି। ତେଣୁ କୋଭିଡକୁ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ସେପଟେ ଗତ ୮ ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନାହିଁ। ପୁଣି ସଂକ୍ରମଣ ବଢ଼ିଥିବା ଦେଖାଯାଇଛି। ସୋମବାର ୨୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୬ ଜିଲାରୁ ୩୩୪ଜଣ ନୂଆ ଆକ୍ରାନ୍ତ ବାହାରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ୧୯୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିମଧ୍ୟରେ ୫୩ ଜଣ ୧୮ ବର୍ଷରୁ କମ୍‌ ବୟସର ଥିବା ଜଣାଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮୭ଜଣ ରହିଥିବା ବେଳେ କଟକରୁ ୭୦, ବାଲେଶ୍ବର ୨, ଭଦ୍ରକ ୨, ଜଗତ୍‌ସିଂହପୁର ୬, ଯାଜପୁର ୨, କଳାହାଣ୍ଡି ୩, ମୟୂରଭଞ୍ଜ ୨, ନୟାଗଡ଼ ୨, ନୂଆପଡ଼ା ୪, ପୁରୀ ୨, ରାୟଗଡ଼ା ୧, ସମ୍ବଲପୁର ୭, ସୋନପୁର ୧ ଓ ସୁନ୍ଦରଗଡ଼ରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୨, ୯୧, ୧୧୭ରେ ପହଞ୍ଚତ୍ଛି।