Categories: ଫୁରସତ

ଇଟା ପଥରରେ ଛେଚି ଅନେକ ଲୋକଙ୍କ ଜୀବନ ନେଇଛନ୍ତି ଏହି ବ୍ୟକ୍ତି

ଇସ୍‌ଲାମାବାଦ୍‌: ମାନବୀୟ ଇତିହାସରେ ସିରିୟଲ କିଲିଂ ଘଟଣା ସମ୍ପର୍କରେ ଅନେକ ଜାଣିଥିବେ। ଆଜି ସେହିପରି ଜଣେ ସିରିୟଲ କିଲରଙ୍କ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ସେ ହେଉଛନ୍ତି ପାକିସ୍ତାନର ସିରିୟଲ କିଲର ଅମୀର କ୍ୱାୟାମ୍‌। ଯେ କି ପ୍ରତିଶୋଧ ନେବାକୁ ପ୍ରତିଦିନ ଲୋକଙ୍କୁ ମାରି ଚାଲିଥିଲେ। ବିଶେଷକରି ରାତିରେ ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଅମୀର ୧୪ ଲୋକଙ୍କ ଜୀବନ ନେଇଥିଲେ। ତାହା ପୁଣି କେବଳ ଇଟା ପଥରେ ଛେଚି। କୁହାଯାଏ, ଅମୀରଙ୍କ ପିତା ଅନ୍ଧ ଥିଲେ। ଅମୀର ପିଲାଦିନରୁ ହିଂସୁକ ଥିଲେ। ଏହି କାରଣରୁ ତାଙ୍କୁ ସ୍କୁଲରୁ ମଧ୍ୟ ବାହାର କରି ଦିଆଯାଇଥିଲା। ଏହା ପରେ ତାଙ୍କ ନିଜ ଭାଇ ଭଉଣୀ ମଧ୍ୟ ତାଙ୍କୁ ଘରୁ କାଢ଼ି ଦେଇଥିଲେ। ପରେ ଅମୀର ତାଙ୍କ ମାମୁଙ୍କ ନିକଟରେ ରହୁଥିଲେ। ୨୦୦୩ରେ କେତେକ ଦୁର୍ବୃତ୍ତ ତାଙ୍କ ମାମୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ହତ୍ୟା କରିଥିଲେ। ସେହିଦିନଠାରୁ ଅମୀର ପ୍ରତିଶୋଧ ପରାୟଣ ହୋଇଉଠିଲେ। ୨୦୦୪ରେ ରାସ୍ତା ଉପରେ ଶୋଉଥିବା କିଛି ଲୋକଙ୍କୁ ହତ୍ୟା କରିବା ଆରମ୍ଭ କଲେ। ଅମୀର ପ୍ରାୟ ୧୪ ଜଣଙ୍କୁ ଇଟା ପଥରରେ ଛେଚି ହତ୍ୟା କରିଛନ୍ତି।
ଲାହୋରରେ ଲଗାତର ଏପରି ଘଟଣା ଘଟୁଥିବାରୁ ଏଠାରେ ରହୁଥିବା ପ୍ରାୟ ୨ ଲକ୍ଷ ଲୋକ ଭୟରେ ଘର ଛାଡ଼ି ଚାଲିଯାଇଥିଲେ। ଅମୀର ଯେଉଁ ଲୋକମାନଙ୍କୁ ହତ୍ୟା କରିଥିଲେ ସେମାନଙ୍କ ମୃତଦେହ ନିକଟରୁ ୧୦ରୁ ୩୫ କିଲୋଗ୍ରାମ ଓଜନର ପଥର ମିଳିଥିଲା। ଅମୀରଙ୍କୁ ଯେଉଁଦିନ ପୋଲିସ ଗିରଫ କଲା ସେହିଦିନ ସେ ଦୁଇ ଜଣଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏହି ଘଟଣାରେ ତତ୍‌କାଳୀନ ପୋଲିସ ଅଧୀକ୍ଷକ ଡା. ଉସ୍ମାନ୍‌ ଅନଓ୍ବର୍‌ କହିଥିଲେ, ଅମୀରଙ୍କୁ ଯେଉଁଦିନ ଗିରଫ କରାଗଲା ସେହି ରାତିରେ ସେ ଦେଖିଥିଲେ କି ଜଣେ ବ୍ୟକ୍ତି ଫୁଟପାଥରେ ଶୋଇଥିଲେ। ଅମୀର ତାଙ୍କୁ ମାରିବା ପାଇଁ ଏକ ବଡ଼ ପଥର ଉଠାଇବା ସମୟରେ ପୋଲିସ ପହଞ୍ଚି ଯାଇଥିଲା। ଫଳରେ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଥିଲା। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା।
ପୋଲିସ ଯେତେବେଳେ ଅମୀରଙ୍କୁ ପଚାରିଥିଲା ତୁମେ ଲୋକଙ୍କୁ କାହିଁକି ଇଟା ପଥରରେ ଛେଚି ମାରୁଛ? ସେ ତା’ର ଉତ୍ତରରେ କହିଥିଲେ, ରାସ୍ତାରେ ମାଗଣାରେ ହାତ ହତିଆର ପଡ଼ିଛି। ତେଣୁ କ’ଣ ପାଇଁ ପଇସା ଖର୍ଚ୍ଚ କରିବି? କହିରଖୁଛୁ ଅମୀରଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା।

Share