ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର ସେ ସୂଚନା ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବିଡେନ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ରେ ସେ ଅନ୍ତିମ ଥର ପାଇଁ ଜାତୀୟ ଦଳ ପକ୍ଷରୁ ଖେଳିବେ। ଦୀର୍ଘ ୨ ଦଶନ୍ଧି ଧରି ସକ୍ରିୟ ଜେକୋଙ୍କ ନାମରେ ଦେଶ ପାଇଁ ସର୍ବାଧିକ ସଂଖ୍ୟାକ ମ୍ୟାଚ୍ ଖେଳିବା ଓ ସର୍ବାଧିକ ଗୋଲ କରିବାର ରେକର୍ଡ ରହିଛି।
‘ମୋ କ୍ୟାରିୟରରେ ସେଭଳି କିଛି ନାହିଁ, ଯାହା ପ୍ରତ୍ୟେକ ଥର ଜାତୀୟ ଦଳର ଜର୍ସି ପିନ୍ଧିଲା ବେଳେ ଅନୁଭବ ହେଉଥିବା ଗର୍ବ ସହ ତୁଳନୀୟ ହୋଇପାରିବ। ତୁର୍କୀ ବିପକ୍ଷ ପଦାର୍ପଣ ମ୍ୟାଚ୍କୁ ୨୦ ବର୍ଷ ବିତିଗଲାଣି। ସେବେଠାରୁ ଅନେକ କିଛି ବଦଳି ସାରିଛି। ମୁଁ ମଧ୍ୟ ବଦଳିଛି। କିନ୍ତୁ ଏହି ଜର୍ସି ପ୍ରତି ମୋ ଭଲ ପାଇବା କଦାପି ବଦଳି ନାହିଁ। ଏବେ ଉଚିତ ସମୟ ଆସି ଯାଇଥିବା ଅନୁଭବ ହେଉଛି’ ବୋଲି ଜେକୋ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
୨୦୦୭ରେ ପଦାର୍ପଣ କରିଥିବା ଜେକୋ ୧୫୧ ଅନ୍ତର୍ଜାତୀୟ ମ୍ୟାଚ୍ରେ ୭୩ ଗୋଲ କରିଥିଲେ। ତାଙ୍କ ପ୍ରତିନିଧିତ୍ୱରେ ବୋସନିଆ ଓ ହର୍ଜଗୋଭିନା ୨୦୧୪ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିଥିଲା। ୨୦୨୬ ବିଶ୍ୱକପ୍ରେ ରାଉଣ୍ଡ ଅଫ୍-୩୨ରୁ ବିଦାୟ ନେଇଥିବା ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଏହି ୪୦ ବର୍ଷୀୟ ଫରଓ୍ବାର୍ଡ ମାଞ୍ଚେଷ୍ଟର ସିଟି, ଏଏସ୍ ରୋମା ଓ ଇଣ୍ଟର ମିଲାନ ଭଳି କ୍ଲବ ପାଇଁ ଖେଳିସାରିଛନ୍ତି।