Categories: ଖେଳ

ସନ୍ୟାସ ଘୋଷଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଆମିର: କହିଲେ ‘ଏହି ଦୁଇଜଣଙ୍କ ପାଇଁ ଏଭଳି କଠିନ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି’

ଲାହୋର,୨୩।୧୨: ଗତ ସପ୍ତାହରେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ହଠାତ୍‌ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପଛରେ କି କାରଣ ରହିଛି ତାହାକୁ ନେଇ ପ୍ରଶ୍ନ କରାଯାଉଥିଲା। ଏବେ ଆମିରଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ବର୍ତ୍ତମାନର ପରିଚାଳନା କମିଟି ସହ ଖେଳିପାରିବେ ନାହିଁ ବୋଲି କ୍ରିକେଟରୁ ବିଦାୟ ନେଉଥିବା କହିଛନ୍ତି।

ପାକିସ୍ତାନର ଏକ ୟୁଟ୍ୟୁବ ଚ୍ୟାନେଲ ପାଇଁ ସାକ୍ଷାତକାର ଦେଇ କହିଛନ୍ତି, ସନ୍ୟାସ ନେବାର ନିଷ୍ପତ୍ତି ମୋର ବ୍ୟକ୍ତିଗତ। ମୋ ଉପରେ କେହି ଚାପ ପକାଇ ନାହାନ୍ତି। କାହା ସହ ସବୁବେଳେ କଥା ହେବାକୁ ଭଲ ଲାଗେ ନାହିଁ। ଜଣେ କ୍ରିକେଟର ଭାବେ ମୁଁ ତାଙ୍କ ସହ ଚାଲିପାରିବି ନାହିଁ। କାରଣ ଯେଉଁ ପେସାରେ ଆପଣ ଉପଭୋଗ କରିପାରନ୍ତି ନାହିଁ, ଆପଣଙ୍କ ଚିନ୍ତାଧାରା ପରିଚାଳନା ଟିମ୍‌ ସହ ମିଶୁନାହିଁ, ତେବେ ଖେଳିବାରେ ମଜା ଲାଗେ ନାହିଁ। ଏଣୁ ସେଠାରୁ ଅଲଗା ହୋଇଯିବା ଭଲ। ଫଳରେ ଅନ୍ୟ ଜିନିଷ ଖରାପ ହୁଏ ନାହିଁ। ହେଲେ ରାଷ୍ଟ୍ରୀୟ କ୍ରିକେଟ ଖେଳିବି। କ୍ରିକେଟର ହିସାବରେ ଯାହା ବି ଶିଖିଛି, ଯୁବ ଆଶାୟୀମାନଙ୍କୁ ତାହା ଶିଖାଇବି ବୋଲି ସେ କହିଛନ୍ତି।

ମୋର ଦଳର କୋଚ୍‌ ଏବଂ ବୋଲିଂ କୋଚ୍‌ଙ୍କ ସହ ଅସୁବିଧା ରହିଥିଲା। ପିସିବିର ଲୋକମାନଙ୍କଠାରେ କୌଣସି ଅଭିଯୋଗ ନ ଥିଲା। ଯଦି ୩୫ଜଣିଆ ଟିମ୍‌ ମଧ୍ୟରେ ସାମିଲ ନ ହୁଏ, ତେବେ ସେ ବିଷୟରେ ଭାବିବାକୁ ପଡେ। କ୍ରିକେଟରେ ଗୁଜରାଣ ମେଣ୍ଟୁଥିଲା। ଏଣୁ ନିଜର ସମୟ ବରବାଦ ନ କରି ଅନ୍ୟ କିଛି କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ସେ କହିଛନ୍ତି।

Share