Categories: ଖେଳ

୨୧ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଚମତ୍କାର ବୋଲିଂ କରିଥିଲେ। ପ୍ରଥମ ଇନିଂସରେ ତିନି ଉଇକେଟ ନେଇଥିବା ବାମହାତୀ ସ୍ପିନର ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଥିଲେ। କୌତୁହଳର ବିଷୟ ହେଉଛି ଜାଡେଜା ୭ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୫ ଜଣଙ୍କ କ୍ଲିନ୍‌ବୋଲ୍ଡ କରିଥିଲେ। ଗତ ୨୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟରେ ଏହା ଘଟିଛି। ଏହାପୂର୍ବରୁ ପାକିସ୍ତାନ ବୋଲର ଶୋଏବ ଅଖତର ୨୦୦୨ରେ ଲାହୋରର ଗାଦାଫି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଜଣ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ। ଯଦି ଆମେ ସ୍ପିନ ବୋଲରଙ୍କ ବିଷୟରେ କଥା ହେବା, ତେବେ ୧୯୯୨ରେ ଅନିଲ କୁମ୍ବଲେ ଶେଷ ଥର ପାଇଁ ଏହା କରିଥିଲେ। ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଏହି ସଫଳତା ହାସଲ କରିଥିଲେ।
ଟେଷ୍ଟରେ ଜାଡେଜା ୨୫୯ ଉଇକେଟ ନେଇଛନ୍ତି। ସେ ଏପର୍ଯ୍ୟନ୍ତ ୬୨ଟି ମ୍ୟାଚ ଖେଳିଛନ୍ତି। ସର୍ବାଧିକ ଟେଷ୍ଟ ଉଇକେଟ ନେବାରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲେସ୍ପି ଏବଂ ୱେଷ୍ଟଇଣ୍ଡିଜର ଜୋଏଲ ଗାର୍ନରଙ୍କ ସମକକ୍ଷ ହୋଇଛନ୍ତି। ୫୮ଟି ଟେଷ୍ଟରେ ଗାର୍ନର ୨୫୯ ଉଇକେଟ ନେଇଥିଲେ ଏବଂ ଗିଲେସ୍ପି ୭୧ଟି ଟେଷ୍ଟରେ ୨୫୯ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଜାଡେଜା ଏକାସାଙ୍ଗରେ ପାଞ୍ଚ ଜଣ ବୋଲରଙ୍କୁ ପଛରେ ପକାିତତ୍ଲେ। ସେ ୱେଷ୍ଟଇଣ୍ଡିଜ୍‌ର ମାଇକେଲ ହୋଲଡିଂ (୨୪୯ ଉଇକେଟ), ଇଂଲଣ୍ଡର ବ୍ରାଏନ ଷ୍ଟାଥମ (୨୫୨), ନ୍ୟୁଜିଲାଣ୍ଡର ନିଲ ୱାଗନର୍‌ (୨୫୩), ୱେଷ୍ଟଇଣ୍ଡିଜ କେମାର ରୋଚ (୨୫୪) ଏବଂ ଇଂଲଣ୍ଡର ଗ୍ରାମ ସ୍ବାନ (୨୫୫) ନେଇଛନ୍ତି।

Share