ସେଞ୍ଚୁରିଅନ,୨୬।୧୧: ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ବିୟାନ ମୁଲ୍ଡର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ ଇତିହାସ ରଚିଛନ୍ତି। ପ୍ରଥମ ଇନିଂସରେ ଶତକ ହାସଲ କରିବା ସହ ଦ୍ୱିତୀୟ ଇନିଂସରେ ୭ଟି ଉଇକେଟ ନେଇଛନ୍ତି ମୁଲ୍ଡର। ଏଥିସହ ଟେଷ୍ଟ କ୍ରିକେଟ୍ର ୧୪୯ ବର୍ଷର ଇତିହାସରେ ଗୋଟିଏ ମ୍ୟାଚ୍ରେ ଶତକ ଏବଂ ୭ ଉଇକେଟ ନେବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି।
ବଲ ହାତରେ ମୁଲ୍ଡରଙ୍କ ଘାତକ ବୋଲିଂ ଆଗରେ ବାଂଲାଦେଶର ବ୍ୟାଟରମାନେ ତିଷ୍ଠି ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ତଞ୍ଜିଦ ହାସନ (୨୯), ମୋମିନୁଲ ହକ (୦), ଅଧିନାୟକ ନଜମୁଲ ହୁସେନ ଶାନ୍ତୋ (୩୪), ଲିଟନ ଦାସ (୧୫), ଜାକେର ଅଲୀ (୨), ଶୋରିଫୁଲ ଇସଲାମ (୦) ଏବଂ ତସ୍କିନ ଅହମ୍ମଦ (୧୦)ଙ୍କୁ ଆଉଟ କରିଥିଲେ।
ମୁଲ୍ଡର କେବଳ ଦ୍ୱିତୀୟ ଇନିଂସରେ ନୁହେଁ, ପ୍ରଥମ ଇନିଂସରେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ। ଅଭିଜ୍ଞ ବ୍ୟାଟର ମୋମିନୁଲ ହକକୁ ମାତ୍ର ୧୮ ରନ୍ରେ ବୋଲ୍ଡ କରି ପ୍ୟାଭିଲିୟନ ଫେରାଇଥିଲେ। ଏହିପରି ମ୍ୟାଚ୍ରେ ତାଙ୍କ ମୋଟ ଉଇକେଟ ସଂଖ୍ୟା ୮ରେ ପହଞ୍ଚିଥିଲା। ବ୍ୟାଟିଂରେ ମଧ୍ୟ ମୁଲ୍ଡର ନିଜର ଦକ୍ଷତା ଦେଖାଇଥିଲେ। ପ୍ରଥମ ଇନିଂସରେ ସପ୍ତମ ସ୍ଥାନରେ ବ୍ୟାଟିଂ କରି ସେ ୧୭୮ଟି ବଲରୁ ୧୦୦ ରନ୍ର ଶତକୀୟ ପାଳି ଖେଳିଥିଲେ। ଏହି ଇନିଂସରେ ତାଙ୍କ ବ୍ୟାଟ୍ରୁ ୧୨ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂସରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ମୁଲ୍ଡରଙ୍କ ଏହି ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ଏକ ଇନିଂସ ଓ ୨୧୯ ରନ୍ରେ ପରାସ୍ତ କରିଥିଲା। ଏହି ବୃହତ୍ ବିଜୟ ସହିତ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିଅନଶିପ ୨୦୨୫-୨୭ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ନିଜର ସ୍ଥିତିକୁ ଆହୁରି ମଜଭୁତ କରିଛି। ଅନ୍ୟପଟେ ବାଂଲାଦେଶ ଦଳ ତାଲିକାରେ ଆଉ ଏକ ପାହାଚ ତଳକୁ ଖସିଛି।