ନୂଆଦିଲ୍ଲୀ, ୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଅନ୍ଲାଇନ୍ ମୂଲ୍ୟାୟନ ପ୍ରଣାଳୀରେ ହୋଇଥିବା ବିବାଦ ମଧ୍ୟରେ ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବଙ୍କ ବଦଳିକୁ ନେଇ ରାଜନୀତି ଗରମ ହୋଇଛି। ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ବଦଳିକୁ ଘଣ୍ଟ ଘୋଡ଼ାଇବା ବୋଲି ଆଖ୍ୟା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କିନ୍ତୁ ଅସଲ ଦାୟିତ୍ୱରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ଦିଆଯାଇଛି। ଶିକ୍ଷା ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରି ଏକ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ କରିବାକୁ ରାହୁଲ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ସିବିଏସ୍ଇ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷାଖାତାର ଡିଜିଟାଲ୍ ମୂଲ୍ୟାୟନରେ କିଛି ଅନିୟମିତତା ହୋଇଥିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ର ସରକାର ସିବିଏସ୍ଇ ଚେୟାରମ୍ୟାନ୍ ରାହୁଲ ସିଂ ଏବଂ ସଚିବ ହିମାଂଶୁ ଗୁପ୍ତଙ୍କୁ ବଦଳି କରିଦେଇଛନ୍ତି। ଏହା ସହିତ ଏହି ପ୍ରକ୍ରିୟାର ତଦନ୍ତ ପାଇଁ ଏସ. ରାଧା ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଜଣିକିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି, ଯିଏକି ଏକ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ।
ରାହୁଲ ଗାନ୍ଧୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଯଦି ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ପ୍ରାୟ ୧୮.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରକୃତରେ ଚିନ୍ତା ଥାଆନ୍ତା, ତେବେ ଶିକ୍ଷା ମନ୍ତ୍ରୀଙ୍କୁ ବହୁ ପୂର୍ବରୁ ପଦରୁ ହଟାଇ ଦିଆଯାଇଥାନ୍ତା। ସିବିଏସ୍ଇ ଚେୟାରମ୍ୟାନ୍ ବଦଳି, ସିବିଏସ୍ଇ ସଚିବ ବଦଳି, ଜଣିକିଆ ତଦନ୍ତ କମିଟି ଗଠନ — ହେଲେ ଅସଲ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ସୁରକ୍ଷିତ। ଅଧିକାରୀମାନଙ୍କୁ ହଟାଇ ମନ୍ତ୍ରୀଙ୍କୁ ବଞ୍ଚାଇ ଦିଆଗଲା। ଏହା କୌଣସି ଜବାବଦେହିତା ନୁହେଁ, ବରଂ ନିଜ ଦୋଷ ଲୁଚାଇବା ପାଇଁ ଏକ ଚାଲ୍। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଏହା କୌଣସି ଏଭଳି ଭିତରୁଆ ମାମଲା ନୁହେଁ ଯାହାକୁ ମାସେ ଭିତରେ ଚାପି ଦିଆଯିବ। ଏଥିପାଇଁ ଏକ ନିରପେକ୍ଷ ନ୍ୟାୟିକ ତଦନ୍ତର ଆବଶ୍ୟକତା ରହିଛି।’