Posted inଫୁରସତ

ଏ ନାବେ ଗୁରୁ କର୍ଣ୍ଣଧାର

ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ଶକ୍ତିର ଉତ୍ସ। ଜୀବନ ଗଢ଼ିବାର ମହାସୂତ୍ର। ସ୍ବାମୀ ବିବେକାନନ୍ଦଙ୍କ ମତରେ, ଯେଉଁ ଆତ୍ମାରୁ ଶକ୍ତି ସଞ୍ଚରି ଆସେ ସେ ଗୁରୁ। ଯେଉଁଥିରେ ସଞ୍ଚାରିତ ହୁଏ ସେ ଶିଷ୍ୟ। ଗୁରୁଙ୍କ ଆଚରଣରେ ଥାଏ ଅମୃତର ପ୍ରଲେପ। ତାଙ୍କର ପ୍ରତିଟି ଚିନ୍ତା ଓ ଚେତନାରେ ପ୍ରକାଶ ପାଏ ଐଶ୍ବରିକ ବିଭୂତି। ଜଗତ ଓ ଜୀବନକୁ ଦେଖିବା ପାଇଁ ଚେତନାର ଆଖି ପ୍ରଦାନ କରିବା ସହିତ ସେ ଶିଖେଇ ଦିଅନ୍ତି ଆଲୋକ ପଥର ଯାତ୍ରୀ ହେବାର ମନ୍ତ୍ର। ଶିଷ୍ୟର ମନକୁ ନିୟନ୍ତ୍ରଣ କରି ଚରିତ୍ର ଗଠନ କରିବା କିଛି ସାଧାରଣ କଥା ନୁହେଁ,ଏକ ଆହ୍ବାନ, ଏକ ନୈତିକ ଦାୟିତ୍ୱ। ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ଯିଏ ନିଷ୍ଠାର ସହିତ ଏ ଦାୟିତ୍ୱ ସମ୍ପାଦନ କରନ୍ତି, ସେ ହିଁ କେବଳ ଜଣେ ସମର୍ଥ ଗୁରୁ। ସମାଜ ଗଢୁଥିବା ଏଭଳି ଗୁରୁମାନେ ପ୍ରକାରାନ୍ତରେ ଜଣେ ଜଣେ ସମାଜ ସଂସ୍କାରକ। କେବଳ କୌଣସି ଶିକ୍ଷାନୁଷ୍ଠାନର ସୀମିତ ପରିବେଶ ଭିତରେ ନୁହେଁ,ଏମାନେ ସମଗ୍ର ସମାଜ ଜୀବନ ପାଇଁ ଏକ ଏକ ଆଲୋକ ବର୍ତ୍ତିକା। ଆମ ଆଗରେ ଗୌତମ ବୁଦ୍ଧଙ୍କଠାରୁ ଆରମ୍ଭ କରି ରବୀନ୍ଦ୍ରନାଥ ଟାଗୋର ଓ ସନ୍ଥକବି ଭୀମ ଭୋଇ ପ୍ରମୁଖ ଅନେକ ଗୁରୁ ଅଛନ୍ତି, ଯିଏ ଔପଚାରିକତା ରୀତିରେ ଶିକ୍ଷାଲାଭ ନ କରି ସୁଦ୍ଧା ସମଗ୍ର ମାନବ ଜାତି ପାଇଁ ଜାଳିଛନ୍ତି ଜ୍ଞାନର ପ୍ରଦୀପ। ଅର୍ଥାତ୍‌ ଆମକୁ ସଂସ୍କାର ଦେବା ପାଇଁ ବିଦ୍ୟାଳୟ ବାହାରେ ବି ଅନେକ ଆଦର୍ଶ ଗୁରୁ ଅଛନ୍ତି,ଯାହାର ଉଦାହରଣ ଲମ୍ବିଛି ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ।
ଶାସ୍ତ୍ର କହେ ସଂସାର ରୂପକ ଏ ଭବସାଗର ଭିତରେ ଜୀବନ ହେଉଛି ଏକ ଡଙ୍ଗା। ସେ ଡଙ୍ଗାର ନାଉରି ହେଉଛନ୍ତି ଗୁରୁ। ନାଉରି ବିନା ଜୀବନଡଙ୍ଗା କୂଳରେ ପହଞ୍ଚିବ କେମିତି ? ଭାଗବତରେ କୁହାଯାଇଛି-”ସୁଲଭ ନାବ ରୂପେ ଘଟେ, ବନ୍ଧନ ଭବସିନ୍ଧୁ ତଟେ। ଏ ନାବେ ଗୁରୁ କର୍ଣ୍ଣଧାର,ମୁହିଁ ଅନୁକୂଳ ସମୀର। ଏମନ୍ତ ନାବ ଥାଇ କୂଳେ, ଯେବା ନ ତରେ ଭବ ଜଳେ। ସେ ନର ହୀନ ମୂଢ଼ମତି, ଜାଣ ତାହାକୁ ଆତ୍ମଘାତୀ।“ ଅର୍ଥାତ୍‌ ଜୀବନ ଡଙ୍ଗା ଚଳେଇ ନେବା ପାଇଁ ଗୁରୁଙ୍କ ସହାୟତା ଏକାନ୍ତ ଜରୁରୀ। ସେଥିପାଇଁ ଜଣେ ଆଦର୍ଶ ଗୁରୁ ଖୋଜି ପାଇବା ଭାଗ୍ୟର କଥା। ମାତ୍ର ସ୍ଥଳ ବିଶେଷରେ ଗୁରୁ ଆପଣା ଛାଏଁ ଆସି ଆମ ଜୀବନ ଡଙ୍ଗାକୁ ବାହି ନେବାର ଦୃଷ୍ଟାନ୍ତ ବି ଅନେକ। ଏହା ହିଁ ଭାରତୀୟ ଗୁରୁ ପରମ୍ପରାର ଏକ ବିଶେଷତ୍ୱ। ନିଛାଟିଆ ଜଙ୍ଗଲ ରାସ୍ତାରେ ପଥିକଙ୍କ ଧନ ଲୁଟୁଥିବା ଦସ୍ୟୁ ରତ୍ନାକର ଭିତରେ ସଦ୍‌ବୁଦ୍ଧି ଭରି ଦେବା ପାଇଁ ଆବଶ୍ୟକ ଥିଲା ନୈତିକ ଶିକ୍ଷା। ମାତ୍ର ସେ ଦୁର୍ଗମ ଅରଣ୍ୟ ଅଞ୍ଚଳରେ ରତ୍ନାକରକୁ ନୈତିକ ଶିକ୍ଷା ଦେବ କିଏ? ପରିସ୍ଥିତିର ଏହି ଜଟିଳତାକୁ ଅନୁଭବ କଲେ ମହାନ୍‌ ଗୁରୁ ଦେବର୍ଷି ନାରଦ। ନିଜେ ସେଠାରେ ପହଞ୍ଚିଗଲେ ଦସ୍ୟୁ ହୃଦୟରୁ ଅଜ୍ଞାନତା ଅନ୍ଧାର ଦୂର କରିବା ପାଇଁ। ଜଣେ ଦିବ୍ୟ ଗୁରୁ ଭାବରେ ପଥଭ୍ରଷ୍ଟକୁ ଦେଖେଇଦେଲେ ଆଲୋକ ଓ ଅମୃତର ପଥ। ଗୁରୁଙ୍କ ଶକ୍ତି ବଳରେ ଦସ୍ୟୁ ଋଷି ବାଲ୍ମୀକିରେ ରୂପାନ୍ତରିତ ହେଲା। ଯିଏ ଦିନେ ରାମ ନାମ ଜପିପାରୁ ନ ଥିଲା, ତାଙ୍କରି ଅମୃତବର୍ଷୀ ଲେଖନୀରୁ ଜନ୍ମନେଲା ଜ୍ଞାନ ବିଜ୍ଞାନର ଅମୂଲ୍ୟ ଗ୍ରନ୍ଥ ରାମାୟଣ।
ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟା। ବିଧିର ବିଡ଼ମ୍ବନା ଯୋଗୁ ସ୍ବାମୀଙ୍କ ଦ୍ବାରା ଅଭିଶପ୍ତ ହୋଇ ପାଲଟିଗଲେ ପଥର। ଶାପ ମୁକ୍ତି ପାଇଁ ଲୋଡ଼ା ଥିଲା ଜଣେ ସଦ୍‌ଗୁରୁଙ୍କ ସହଯୋଗ। ହେଲେ ପାଷାଣ ଅବସ୍ଥାରେ ଥାଇ ସେ ଗୁରୁଙ୍କ ପାଖରେ ପହଞ୍ଚି ପାରିବେ କେମିତି? ତାଙ୍କର ଏହି ଅସହାୟତାକୁ ଉପଲବ୍ଧି କଲେ ମହାନ୍‌ ଗୁରୁ ରାଜର୍ଷି ବିଶ୍ୱାମିତ୍ର। ତେଣୁ ଭଗବାନ ରାମଚନ୍ଦ୍ରଙ୍କୁ ସାଥିରେ ନେଇ ସେ ପହଞ୍ଚି ଗଲେ ଅହଲ୍ୟା ଉଦ୍ଧାର ପାଇଁ। ଏହା ହିଁ ତ ଜଣେ ସମର୍ଥ ଗୁରୁଙ୍କ ବଡ଼ପଣ। କେବଳ ପୁରାଣ ଶାସ୍ତ୍ରରେ ନୁହେଁ,ଇତିହାସରେ ବି ଏମିତି କେତେକ ଆଦର୍ଶ ଗୁରୁଙ୍କ ଉଦାହରଣ ଅଛି, ଯେଉଁମାନଙ୍କ ଦିଗ୍‌ଦର୍ଶନ ଯୋଗୁ ଭାଙ୍ଗିଛି ଅନେକ ଐତିହାସିକ ପୁରୁଷଙ୍କ ବୀରତ୍ୱ ଓ ବଦାନ୍ୟତାର ଅହଙ୍କାର।
ଏକଦା ନିଜ ସାମ୍ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦୁର୍ଭିକ୍ଷ ପଡ଼ିବାରୁ ସେଠାକାର ଲୋକଙ୍କୁ କାମ ବଦଳରେ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଏକ ନୂତନ କିଲ୍ଲା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ,ଯେଉଁଠି ନିୟୋଜିତ ହେଲେ ସହସ୍ରାଧିକ ଶ୍ରମିକ। ଦିନେ ରାଜା ବୁଲିବୁଲି କାର୍ଯ୍ୟ ତଦାରଖ କରିବା ଅବସରରେ ତାଙ୍କ ମନକୁ ଛୁଇଁଲା ହଜାର ହଜାର ଲୋକଙ୍କୁ ଆହାର ଯୋଗାଉ ଥିବାର ଅହଙ୍କାର। ସଂଯୋଗବଶତଃ ଗୁରୁ ରାମଦାସ ସେଠାରେ ପହଞ୍ଚିଲେ ଏବଂ ଶିବାଜୀଙ୍କ ସହ କଥାବାର୍ତ୍ତା ଭିତରେ ବୁଝିଗଲେ ଶିବାଜୀଙ୍କ ଭାବନା। ତାଙ୍କୁ ଆହୁରି ଖୁସି କରିବା ପାଇଁ ସେ ନିଜେ ବି ପ୍ରଶଂସା କଲେ,ଯେଉଁ ପ୍ରଶଂସା ଶୁଣି ଶିବାଜୀ ନିଜକୁ ଧନ୍ୟ ମଣିଲେ ଏବଂ ଆହୁରି ବଢ଼ିଗଲା ତାଙ୍କ ଅହଙ୍କାରର ମାତ୍ରା। ବୁଲି ବୁଲି କିଲ୍ଲା ଦେଖିବା ଅବସରରେ ବାଟରେ ବଡ଼ ପଥର ଖଣ୍ଡେ ପଡ଼ିଥିବା ଦେଖି ଅଟକି ଗଲେ ଗୁରୁ ରାମଦାସ। ଗୁରୁଙ୍କ ଇସାରା ପାଇବା ମାତ୍ରେ ପଥରଟାକୁ ଉଠାଇ ନେବାକୁ ଶ୍ରମିକମାନଙ୍କୁ ଆଦେଶ ଦେଲେ ରାଜା। ପଥରଟା ହଟେଇଦେବାରୁ ଦେଖାଗଲା ସେ ସ୍ଥାନରେ ଗୋଟେ ଗାତ ରହିଛି ଓ ଗାତ ଭିତରେ ଥିବା ଅଳ୍ପ ପାଣିରେ ବେଙ୍ଗଟିଏ ଚାହିଁଛି ଜୁଳୁଜୁଳୁ କରି। ଗୁରୁ ବଡ଼ ପାଟିରେ କହିଲେ ବାଃ ବାଃରେ ଶିବାଜୀ, ଜଣେ ମହାନ୍‌ ରାଜା ଭାବରେ ସାମାନ୍ୟ ବେଙ୍ଗଟିଏ ପାଇଁ ବି ତମେ ଯୋଗେଇ ଦେଇପାରିଛ ଖାଦ୍ୟ ଓ ପାନୀୟ। ଗୁରୁଙ୍କର ଏହି ପଦିଏ କଥାରେ ଭାଙ୍ଗି ଚୂରମାର ହୋଇଗଲା ଶିବାଜୀଙ୍କ ଅହଙ୍କାର।
ସ୍ବାଧୀନତା ପରବର୍ତ୍ତୀ କାଳର କଥା। ଗାଁ ମୁଣ୍ଡରେ ଏକୁଟିଆ ଘର କରି ରହୁଥିଲା କୁଖ୍ୟାତ ଚୋର ପାଣୁ କଅଁର। ମୁହଁ ଟାଣ ସାଙ୍ଗକୁ ହୁରୁମାପଣ। ତେଣୁ ତା’ ସାଙ୍ଗରେ କଥା ହେବାକୁ ଚାହାନ୍ତିନି ଲୋକେ। ମଧୁ ଗୋସେଇଁଙ୍କ କଣ୍ଠରୁ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ’ ଆଦି ଭାଗବତର ପଦ ପଂକ୍ତି ଶୁଣିବା ପାଇଁ ଗାଁ ମଝିରେ ଥିବା ଭାଗବତଟୁଙ୍ଗିରେ ରୁଣ୍ଡ ହୁଅନ୍ତି ଲୋକେ। ହେଲେ କେବେ ବି ସେଠାରେ ପଡ଼େନି ପାଣୁ କଅଁର ଛାଇ। ଏହି କାରଣରୁ ମଧୁ ଗୋସେଇଁଙ୍କ ମନରେ ଭାରି ଅବସୋସ। ମନେ ମନେ ଖୋଜି ହେଉଥାନ୍ତି ତାକୁ ଟୁଙ୍ଗିକୁ ଆଣିବାର ଉପାୟ। ବାଟରେ ଘାଟରେ ଦେଖାହେଲେ ଖୁବ୍‌ ଧୀର ଭାବରେ ପାଣୁକୁ ତା’ର ଭଲ ମନ୍ଦ କଥା ପଚାରି ବୁଝନ୍ତି ଗୋସେଇଁ। ହେଲେ ସେ ହୁରୁମାଟା ଗୋସେଇଁଙ୍କୁ ତାଚ୍ଛଲ୍ୟ କରିବା ସହିତ ଠାକୁରଙ୍କୁ ଗାଳିଦିଏ ଅଶ୍ରାବ୍ୟ ଭାଷାରେ। ଏମିତି କିଛିଦିନ ଗଲାପରେ ହଠାତ୍‌ ଦିନେ ପାଣୁ ସହ ଗୋସେଇଁଙ୍କ ଭେଟ ହୋଇଗଲା ଗାଁ ମୁଣ୍ଡ ପୋଖରୀ ପାଖରେ। ଗୋସେଇଁ କିଛି କହିବା ଆଗରୁ ‘ତମ ଠାକୁର କେମିତି ଅଛନ୍ତି’ ବୋଲି କହି ତାଚ୍ଛଲ୍ୟ ଆରମ୍ଭ କରିଦେଲା ପାଣୁ। ଟିକେ ଚିନ୍ତାକରି ଧୀର ଗଳାରେ ଗୋସେଇଁ କହିଲେ- ଠାକୁରଙ୍କର ଏବେ ବାଲ୍ୟଲୀଳା ଚାଲିଛି। ଗୋପ ଗାଁ ଏବେ ଚଳଚଞ୍ଚଳ ହୋଇଉଠିଛି ଠାକୁରଙ୍କ ଚୋରି ଧରିବା ପାଇଁ। ହେଲେ ଠାକୁରଙ୍କୁ ଚୋର ସାବ୍ୟସ୍ତ କରିବା କ’ଣ ସହଜ? ସେ କେଉଁ ଛଟକରେ କାହା ଘରେ ଦହି ଖାଇଲେଣି ତ ଆଉ କାହାଘରେ ଖାଇଗଲେଣି ଲହୁଣି। ଯମୁନାଘାଟରୁ ବସ୍ତ୍ର ଚୋରି କରି ସେ କ’ଣ କମ୍‌ ହଟହଟା କଲେଣି ଗୋପୀମାନଙ୍କୁ! ଠାକୁର କ୍ଷୀର, ଦହି, ଲହୁଣି ଚୋରି କରି ଖାଉଛନ୍ତି- କଥାଟା କାହିଁକି ସହଜରେ ବିଶ୍ବାସ କରିପାରିଲାନି ପାଣୁ। ରାଗରେ ଥମ ଥମ ହୋଇ କହିଲା- ମୋତେ ତମେ ଥଟ୍ଟା କରୁଛ ଗୋସେଇଁ। ଏଥର ମନରେ ସାହସ ବାନ୍ଧି ଗୋସେଇଁ କହିଲେ, ତୁ ବିଶ୍ବାସ କର କି ନ କର ପାଣୁ, ମୋ କଥାରେ ଟିକେ ବି ମିଛ ନାହିଁ। ଜଗନ୍ନାଥଯେ ଷୋଳ କଳା, ତହୁଁ କଳାଏ ନନ୍ଦବଳା। ଭାଗବତଟୁଙ୍ଗିକୁ ଗଲେ ସିନା ଜାଣନ୍ତୁ ଠାକୁରଙ୍କ ଚୋରି ପଛର ରହସ୍ୟ।
ଗୋସେଇଁଙ୍କ କଥା ଶୁଣି ଦିନେ କୌତୂହଳବଶତଃ ପହଞ୍ଚିଗଲା ଭାଗବତଟୁଙ୍ଗିରେ। ପାଣୁକୁ ଦେଖି ଗାଁ ଲୋକେ ସିନା ନାକ ଟେକିଲେ,କିନ୍ତୁ ଗୋସେଇଁ ଅନୁଭବ କଲେ ଗୋଟେ ଗଡ଼ ଜିଣିବାର ଖୁସି। ଟୁଙ୍ଗିରେ ସେଦିନ ପଢ଼ାଗଲା ଦଶମ ସ୍କନ୍ଧ ବାଲ୍ୟଲୀଳା ପ୍ରସଙ୍ଗ। ଏତେ ସରଳ ଓ ସୁନ୍ଦର ଭାବରେ ଗୋସେଇଁ ବର୍ଣ୍ଣନା କଲେ ଯେ ପାଣୁ ଭିତରେ ଆପେ ଆପେ ସୃଷ୍ଟି ହେଲା ଏକ ଅପୂର୍ବ ଶିହରଣ। ତା’ ପରଠାରୁ ଭାଗବତଟୁଙ୍ଗି ସହ ଗଢ଼ି ଉଠିଲା ତା’ର ଏକ ନିବିଡ଼ ଆତ୍ମୀୟତା। ପ୍ରତିଦିନ ଟୁଙ୍ଗିରେ ବସି ଭାଗବତ କଥାରେ ସେ ଯେତିକି ତନ୍ମୟ ହେଲା ତା’ ଭିତରେ ସେତିକି ପ୍ରକାଶ ପାଇଲା ସମାଜର ମୁଖ୍ୟ ସ୍ରୋତକୁ ଫେରିବାର ଆଗ୍ରହ। ଏଥିରୁ ବୁଝିବାକୁ ହେବ ଯେ ବିଦ୍ୟାଳୟ ବାହାରେ ବି ମଧୁ ଗୋସେଇଁଙ୍କ ପରି ଅନେକ ମହାନ୍‌ ଗୁରୁ ଅଛନ୍ତି, ଯେଉଁମାନଙ୍କୁ ଜଣାଅଛି ଜୀବନ ଗଢ଼ିବାର ମହାସୂତ୍ର।

ଡ. ପ୍ରଫୁଲ୍ଲ କୁମାର ସାହୁ
-ବିଜୁ ପଟ୍ଟନାୟକ ନଗର, ଭଦ୍ରକ , ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?