ପାଟକୁରା,୧୫ା୧୧(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବେଡ଼ାରୀ ପଞ୍ଚାୟତ ସୋଲପାଟ ଗ୍ରାମ ଚିତ୍ରୋତ୍ପଳା ନଦୀକୂଳରେ ସନ୍ଥ ମସ୍ତରାମ ପୀଠରେ ମହାପୁରୁଷ ମସ୍ତରାମଙ୍କ ଜନ୍ମବାର୍ଷିକ ପବିତ୍ର ନାଗ ଚତୁର୍ଥୀରେ ପାଳିତ ହୋଇଛି। ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ପହଞ୍ଚି ଦର୍ଶନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରତ୍ୟୁଷରୁ ସନ୍ଥଙ୍କ ପୀଠକୁ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇ ଚନ୍ଦନ ସେବା କରାଯାଇଥିଲା। ବିଭିନ୍ନ ଫୁଲରେ ପୀଠକୁ ସଜା ଯିବା ପରେ ପ୍ରଧାନ ଆଚାର୍ଯ୍ୟ ଉପେନ୍ଦ୍ର ଦାଶ ଭୋଗ ଲାଗି କରିଥିଲେ। ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ନିଜ ନିଜର ମନସ୍କାମନା ପୂରଣ କରିବାକୁ ପୀଠରେ ପ୍ରସାଦ ଲାଗି କରିବାକୁ ଆସିଥିଲେ।
ଏଠାରେ ସନ୍ଥ ମସ୍ତରାମଙ୍କୁ ମାନସିକ କରି ଗଞ୍ଜେଇ ଭୋଗ ଯାଚିଲେ କାର୍ଯ୍ୟ ସଫଳ ହୁଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ଏଣୁ କୌଣସି ବିପଦ ପଡ଼ିଲେ ଲୋକମାନେ ତୁରନ୍ତ ମସ୍ତରାମଙ୍କୁ ସ୍ମରଣ କରି ଗଞ୍ଜେଇ ଭୋଗ ଯାଚିଥାନ୍ତି। ଏହାକଲେ ବିପଦ ତଳିଯାଏ ବୋଲି ସାଧାରଣରେ ବିଶ୍ୱାସ ଅଛି। ଏଣୁ ଆଖପାଖ ଗ୍ରାମ ମାଣ୍ଡିଆ, ରାଘବପୁର, ନରସିଂହପୁର, ହରିଦାସପୁର, ବିଚଣା, ନୂଆପଡ଼ା, ଗୋତ୍ରବିଲ, ପଦ୍ମପୁର, କିଣିଲୋ, ଦଳୁଆଣି, ପରକଣା, ଶ୍ରୀଚନ୍ଦନପୁର, ଯମୁନାବାଦ, ଦଳୁଆଣି, ପାଟକୁରା, ବେଡ଼ାରୀ, ସୋଲପଟ, କୁଳତୁଠି ଗ୍ରାମର ଶ୍ରଦ୍ଧାଳୁମାନେ ପୀଠରେ ଭୋଗ କରିବା ଓ ଗଞ୍ଜେଇ ଲାଗି କରିବା ପାଇଁ ଦିନ ତମାମ ପୀଠ ନିକଟରେ ଭିଡ଼ ଜମାଇଥିଲେ। ଶ୍ରଦ୍ଧାଳୁମାନଙ୍କ ଉଦ୍ୟମରେ ପୀଠରେ ଅନ୍ନ ପ୍ରସାଦର ଆୟୋଜନ କରାଯାଇଥିଲା। ଏଠାରେ ବିଶେଷତ୍ୱ ହେଉଛି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ସଂଗୃହୀତ ପନିପରିବା ପଡ଼ି ବିଭିନ୍ନ ଡାଲିରେ ଡାଲମା ପ୍ରସ୍ତୁତ ହୁଏ। ଲୋକମାନେ ବିରି, କୋଳଥ,ଚଣା, ମୁଗ, ହରଡ଼, ମସୁର,ଆଳୁ, ମାଟି ଆଳୁ, କଖାରୁ, ସାରୁ, ପାଣିକଖାରୁ, ଲାଉ, କଦଳି, ମୁଳା, ଅମୃତଭଣ୍ଡା, ନଡ଼ିଆ ଇତ୍ୟାଦି ଦେଇଥାନ୍ତି। ଏ ସବୁରୁ ପ୍ରସ୍ତୁତ ଅନ୍ନ ପ୍ରସାଦ ଓ ଡାଲମା ପୀଠରେ ଲାଗିହେବା ପରେ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଇଥିଲା। ବିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀ, ଭଜନ କଳାକାରମାନେ ଆସି ସନ୍ଧ୍ୟାରେ ହରିନାମ ସହ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ନାଗ ଚତୁର୍ଥୀରେ ସନ୍ଥ ମସ୍ତରମଙ୍କ ଜନ୍ମ ବାର୍ଷିକ ପାଳନ କେଉଁ ଅନାଦି କାଳରୁ ପ୍ରଚଳନ ହୋଉ ଆସୁଛି। ଏହି କାର୍ଯ୍ୟକ୍ରମ ବେଡାରୀ, ସୋଲପାଟ, କୁଳତୁଠି ଗ୍ରାମର ଜନସାଧାରଣଙ୍କ ସମେତ ଆଖପାଖ ଗ୍ରାମ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗରେ ହୋଇଆସୁଛି।