ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଲେଖାଯାଇଛି ପ୍ରଭୁ ରାମଙ୍କ ନାଁର ଟାଟୁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ବିଶ୍ୱାସର ବଡ଼ ମହତ୍ତ୍ୱ ରହିଛି। ଲୋକେ ବିଶ୍ୱାସ ଯୋଗୁ କିଛି ବି କରିବାକୁ ରାଜି ହୋଇଥାନ୍ତି। ଭାରତରେ ଏମିତି ଅନେକ ସମ୍ପ୍ରଦାୟ ରହିଛି, ଯେଉଁମାନେ ପୁରୁଣା କାଳରୁ ଧର୍ମ ନାମରେ କିଛି ରୀତିନୀତି ଅନୁସରଣ କରିଆସୁଛନ୍ତି। ବର୍ତ୍ତମାନ ସମୟରେ ଏହି ପରମ୍ପରା ବିଷୟରେ ଶୁଣିଲେ ଏବଂ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଛତିଶଗଡ଼ରେ ଏମିତି ଏକ ଦଳିତ ସମ୍ପ୍ରଦାୟ ଲୋକେ ବାସ କରନ୍ତି। ରାମନାମୀ ସମାଜର ଏହି ଲୋକମାନେ ଗତ ୧୦୦ ବର୍ଷ ହେବ ଏମିତି ଏକ ପରମ୍ପରା ଅନୁସରଣ କରିଆସୁଛନ୍ତି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏହି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ‘ରାମ’ ନାମକ ଟାଟୁ ହୋଇଛି। ଏଥିରେ ମହିଳାମାନେ ମଧ୍ୟ ରହିଛନ୍ତି।
ରାମନାମୀ ସମ୍ପ୍ରଦାୟର ସମୁଦାୟ ଲୋକସଂଖ୍ୟା ୧ ଲକ୍ଷ। ଏହି ଲୋକମାନେ ଛତିଶଗଡ଼ର ୪ଟି ଜିଲାରେ ରୁହନ୍ତି। ଏହି ଲୋକମାନଙ୍କ ଶରୀରର ମୁଣ୍ଡରୁ ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ରାମ ନାମକ ଟାଟୁ ହୋଇଥାଏ। ଏହା ପଛରେ ଏକ କାରଣ ମଧ୍ୟ ରହିଛି।
ଏହି ସମ୍ପ୍ରଦାୟର ବୟଷ୍କ ବ୍ୟକ୍ତିଙ୍କ କହିବାନୁଯାୟୀ, ପ୍ରାୟ ୧୦୦ ବର୍ଷ ପୂର୍ବେ ଏହି ଲୋକମାଡ଼ଙ୍କୁ ଉଚ୍ଚ ଜାତିର ହିନ୍ଦୁମାନେ ମନ୍ଦିର ଭିତକୁ ଯିବାକୁ ବାରଣ କରୁଥିଲେ। ଏହାର ବିରୋଧ କରି ଏହି ସମ୍ପ୍ରଦାୟର ଲୋକମାନେ ପୁରା ଶରୀରରେ ରାମ ନାମରେ ଟାଟୁ କରିବା ଆରମ୍ଭ କରିଥିଲେ। ସେହି ସମୟରୁ ଏହି ପରମ୍ପରା ଚାଲିଆସିଛି। ତେବେ ଆଜି ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟର ଲୋକମାନେ କୌଣସି ମନ୍ଦିରକୁ ଯାଆନ୍ତି ନାହିଁ କି ପୂଜା ପାଠ ମଧ୍ୟ କରନ୍ତି ନାହିଁ। ମାତ୍ର ଏବେ ଶରୀରରେ ଏହି ଟାଟୁ ସଂଖ୍ୟା କମ୍‌ ହୋଇଯାଇଛି। ଏଠାରେ ଶିଶୁ ଜନ୍ମ ହେବା ପରେ ତା’ର ଶରୀରରେ କେଉଁଠି ନା କେଉଁଠି ରାମ ନାମକ ଟାଟୁ କରାଯାଏ। ଏଥିସହ ଏହି ଲୋକମାନେ ପ୍ରତିଦିନ ରାମ ନାମ ନିଶ୍ଚୟ ନେଇଥାନ୍ତି। ଏମାନଙ୍କ ଘର ଏବଂ ପୋଷାକରେ ରାମ ଲେଖାଯାଇଥାଏ।

Share