Categories: ଖେଳ

ଏହି ଭାରତୀୟ କ୍ରିକେଟର୍‌ଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମିଳିଲା ବଳାତ୍କାର ଧମକ

ନୂଆଦିଲ୍ଲୀ, ୬।୮: ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ତ୍ରୀ ହାସିନ ଜାହାନଙ୍କଠାରୁ କେବେଠୁ ଅଲଗା ହୋଇସାରିଛନ୍ତି। କିନ୍ତୁ ହାସିନ ଅଧିକାଂଶ ସମୟ କୌଣସି କାରଣ ଲାଗି ଖବରର ଶିରୋନାମାରେ ରହିଥାନ୍ତି। କେତେବେଳେ ସୋସିଆଲ ମିଡିଆରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ପୁଣି କେତେବେଳେ ବୋଲ୍ଡ ଫଟୋ ଛାଡ଼ି ସେ ଚର୍ଚ୍ଚାରେ ରହିଥାନ୍ତି। ଲକ୍‌ ଡାଉନ୍‌ ପରଠାରୁ ହାସିନ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି। ସଦ୍ୟତମ ଘଟଣାକ୍ରମେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଉତ୍ସବ ଅବସରରେ ସେ ହିନ୍ଦୁ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଅଧିକାଂଶ ଲୋକ ତାଙ୍କୁ ଏଥିପାଇଁ ଟ୍ରୋଲ କରିଥିବା ଜଣାପଡ଼ିଛି। ହାସିନ ଶେୟାର କରିଥିବା ଏକ ଫଟୋରେ ପ୍ରଭୁ ଶ୍ରୀରାମ ଓ ରାମ ମନ୍ଦିର ରହିଥିବା ଦେଖିବାକୁ ମିଳିଛି। ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସମଗ୍ର ହିନ୍ଦୁ ସମାଜକୁ ହାର୍ଦ୍ଦିକ ଅଭିନନ୍ଦନ’ ବୋଲି ହାସିନ ଏହି ଫଟୋତଳେ କ୍ୟାପସନରେ ଉଲ୍ଳେଖ କରିଛନ୍ତି। ଏଥିସହ ସେ ଅନେକ ପ୍ରକାରର ଇମୋଜି ମଧ୍ୟ କ୍ୟାପସନରେ ବ୍ୟବହାର କରିଛନ୍ତି। ତେବେ ହାସିନଙ୍କୁ କିଛି ପ୍ରଶଂସକ ଅଭିନନ୍ଦନ ଜଣାଇଥିବାବେଳେ ଆଉ କିଛିଜଣ ସେ ଏପରି କରିବାର ନ ଥିଲା ବୋଲି କମେଣ୍ଟ୍ସରେ କହିଛନ୍ତି। କିନ୍ତୁ ଏମିତି ମଧ୍ୟ କିଛି ଲୋକ ଥିଲେ ଯେଉଁମାନେ ହାସିନଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦେବାକୁ ମଧ୍ୟ ପଛାଇ ନ ଥିଲେ। ଏଠାରେ ପ୍ରକାଶଯୋଗ୍ୟ, ୨୦୧୮ରେ ହାସିନ ସ୍ବାମୀ ସାମିଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶାମି ମ୍ୟାଚ୍‌ ଫିକ୍ସିଂରେ ଜଡ଼ିତ ଅଛନ୍ତି ବୋଲି ସେ ଗଣମାଧ୍ୟମରେ ବିବୃତି ରଖିଥିଲେ। ଯେଉଁଥି ପାଇଁ ସେତେବେଳେ ବିସିସିଆଇକୁ ମଧ୍ୟ ଏହି ଘଟଣାର ଯାଞ୍ଚ କରିବାକୁ ପଡ଼ିଥିଲା। ଏଥିସହ ଶାମି ଅନେକ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ବୋଲି ମଧ୍ୟ ସେ ଗୁରୁତର ଅଭିଯୋଗ କରିଥିଲେ।

Share