Categories: ଖେଳ

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଜୋକ୍‌ ଭାବିଥିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨।୭- ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ୧୭ ଦିନ ବିତିସାରିଛି। ମୁମ୍ବାଇର ବାନ୍ଦ୍ରସ୍ଥିତ ବାସଭବନରେ ଏହି ଉଦୀୟମାନ ଅଭିନେତା ଆତ୍ମହତ୍ୟା କରିଥିଲେ, ଯାହାକି ଏବେ ମଧ୍ୟ ରହସ୍ୟ ହୋଇ ରହିଯାଇଛି। ଭାରତୀୟ କ୍ରିକେଟ୍‌ ଦଳର ଭେଟେରାନ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ ପ୍ରଥମେ ଜୋକ୍‌ ଭାବିଥିଲେ ବୋଲି କହିଛନ୍ତି। ‘ମୁଁ ସେତେବେଳେ ପଡ଼ିଆରେ ଟ୍ରେନିଂ କରୁଥାଏ। ମୋ ସ୍ତ୍ରୀ ମେସେଜ କରି ସୁଶାନ୍ତ ଆତ୍ମହତ୍ୟା କରିଥିବା ଖବର ମୋତେ ଜଣାଥିଲେ। ମୁଁ କିନ୍ତୁ ସେ ସମୟରେ ମେସେଜକୁ ଚେକ୍‌ କରି ନ ଥିଲି। ଏହାପରେ ପ୍ରାକ୍ଟିସ ସାରି କାରରେ ଘରକୁ ଫେରୁଥିବାବେଳେ ମୋ ସ୍ତ୍ରୀ ପୁଣିଥରେ ଭଏସ୍‌ ମେଲ୍‌ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଦେଇଥିଲେ। ମୁଁ ପ୍ରଥମେ ଏହାକୁ ମଜା ବୋଲି ଭାବିଥିଲି। କିନ୍ତୁ ମୋ ପାଖକୁ ଯେତେବେଳେ ବିଭିନ୍ନ ଭଏସ୍‌ ମେଲ୍‌ ଆସିଥିଲା ସେତେବେଳେ ମୁଁ ଏହି ଘଟଣାରେ ସତ୍ୟତା ଥିବା ଜାଣିଲି। ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ସୁଶାନ୍ତଙ୍କ ମର ଶରୀରର ଫଟୋ ସବୁ ପୋଷ୍ଟ ହେବାର ଦେଖିଲି’ ବୋଲି ଶ୍ରୀସନ୍ଥ ଇନ୍‌ଷ୍ଟାଗ୍ରାମରେ ଏକ ଆଲୋଚନା ଅବସରରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ୩୭ ବର୍ଷୀୟ ଶ୍ରୀସନ୍ଥ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାଗ୍ୟବାନ ଥିଲି ଯେ ୨୦୧୩ରେ ଜେଲ ଯିବାବେଳେ କି ଜେଲ୍‌ରୁ ବାହାରିବା ବେଳେ କେହି ମୋ ଫଟୋ ଉଠାଇ ନ ଥିଲେ। ଫଳରେ ମୋ ପିଲାମାନେ ସୌଭାଗ୍ୟବଶତଃ ମୋ ଜେଲ୍‌ ଯିବା ଫଟୋ ଦେଖିପାରି ନ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୩ରେ ଆଇପିଏଲ୍‌ରେ ହୋଇଥିବା ବହୁଚର୍ଚ୍ଚିତ ସ୍ପଟ୍‌-ଫିକ୍ସିଂ ମାମଲରେ ଶ୍ରୀସନ୍ଥଙ୍କୁ ସେତେବେଳେ ୧୨ ଦିନ ପାଇଁ ଜେଲ୍‌ ଯିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ କ୍ରିକେଟ୍‌ରୁ ପ୍ରଥମେ ଆଜୀବନ ଓ ପରେ ୭ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଶ୍ରୀସନ୍ଥଙ୍କୁ ଏହି ବାସନ୍ଦାଦେଶ ସେପ୍ଟେମ୍ବରରେ ସମାପ୍ତ ହେଉଥିବାରୁ ସେ ଆଗାମୀ ରଣ୍‌ଜୀ ଟ୍ରଫିରେ ଖେଳିବାର ସମ୍ଭାବନା ରହିଛି।

Share