ଜଣେ ବ୍ୟକ୍ତି ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇବାକୁ ଯାଆନ୍ତି ଆଉ ଡେରିରେ ବିଛଣା ତ୍ୟାଗ କରନ୍ତି। କିନ୍ତୁ କିଛି ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଶୋଇବାକୁ ପସନ୍ଦ କରନ୍ତି। ହେଲେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ପ୍ରକାଶିତ ରିପୋର୍ଟରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଆବଶ୍ୟକତାଠାରୁ ଅଧିକ ସମୟ ଶୁଅନ୍ତି ତେବେ ସେ ହୃଦ୍ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଭଳି ବିଷୟବସ୍ତୁକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ପରିଶେଷରେ ସେମାନେ ଜାଣିବାକୁ ପାଇଥିଲେ ଯେ ଆବଶ୍ୟକତାଠାରୁ ଅଧିକ ସମୟ ଶୋଉଥିବା କେତେକ ବ୍ୟକ୍ତିଙ୍କଠାରେ ସେମାନେ ହୃଦ୍ଜନିତ ସମସ୍ୟାର ଲକ୍ଷଣ ଦେଖିବାକୁ ପାଇଥିଲେ। ରାତିରେ ଆବଶ୍ୟକ ମୁତାବକ ଶୋଇବା- ଏ କଥାକୁ ଆମେ ହୃଦୟଙ୍ଗମ କରିବା ଦରକାର। ଠିକ୍ ଭାବରେ ନ ଶୋଇଲେ ତାହା କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ଆମେ ଏ ନେଇ ସଚେତନ ରହିବା ଆବଶ୍ୟକ।