Categories: ଖେଳ

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ ସାଥୀ ରୂପେ ବାଛିଥିଲେ। ଜଣେ ଷ୍ଟାର୍‌ କ୍ରିକେଟର୍‌ଙ୍କ ସ୍ତ୍ରୀ ଭାବେ ପରିଚିତ ଲାଭ କରିବା ପୂର୍ବରୁ ଶୀତଲ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅନେକ ହୁଏତ ଜାଣି ନ ଥିବେ ୪୦ ବର୍ଷୀୟା ଶୀତଲ ମଧ୍ୟ ଜଣେ ସଫଳ କ୍ରୀଡ଼ାବିତ୍‌। ୬ ଜୁନ୍‌ ୧୯୮୧ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ଶୀତଲ ଜଣେ ପୂର୍ବତନ ଭାରତୀୟ ଟେନିସ ଖେଳାଳି। ସେ ଭାରତୀୟ ଦଳ ପକ୍ଷରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଖବରର ଶିରୋନାମାରେ ରହିଛନ୍ତି। ଶୀତଲଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଟେନିସ ଖେଳିବା ଆରମ୍ଭ କରିଥିଲେ। ଶୀତଲଙ୍କ ଭାଇ ମଧ୍ୟ ଜଣେ ଟେନିସ ଖେଳାଳି ହୋଇଥିବାରୁ ସେ ତାଙ୍କୁ ଟ୍ରେନିଂରେ ସହାୟତା କରୁଥିଲେ। ପିଲାଦିନୁ କ୍ରୀଡ଼ା ସହ ଜଡ଼ିତ ଥିବାରୁ ଶୀତଲ ସର୍ବଦା ଫିଟ୍‌ନେସର ମହତ୍ତ୍ୱ ଜାଣନ୍ତି। ତେଣୁ ଆଜି ମଧ୍ୟ ସେ ସ୍ବାମୀ ଉଥପ୍ପାଙ୍କ ସହ ଜିମ୍‌ରେ ଝାଳ ବୁହାଉ ଥିବାର ଦେଖିବାକୁ ମିଳେ। ସେହିଭଳି ଯେତେବେଳେ ୩୪ ବର୍ଷୀୟ ଉଥପ୍ପା ଭାରତୀୟ ଦଳରୁ ବାଦ୍‌ ପଡ଼ିଥିଲେ ସେତେବେଳେ ଶୀତଲ ମାନସିକସ୍ତରରେ ତାଙ୍କୁ ବେଶ୍‌ ସହାୟତା କରିଥିଲେ। ଫଳରେ ରବିନ ପୁଣିଥରେ ସଫଳତାର ସହ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ କିଛିବର୍ଷ ହେବ ଉଥ୍‌ପ୍ପା ଘରୋଇ କ୍ରିକେଟ୍‌ ଓ ଆଇପିଏଲ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।

Share