ଏହି କ୍ରିକେଟର୍‌ଙ୍କ ଭାଇ ରଚିଲେ ଇତିହାସ: ୭୭ ବର୍ଷ ପରେ ଦୋହରାଇଲେ ବିରଳ କୀର୍ତ୍ତିମାନ

ମୁମ୍ବାଇ,୨୯।୧୦: ଘରୋଇ କ୍ରିକେଟ୍‌ରେ ଚମକିଲେ ଯୁବ ଅଲରାଉଣ୍ଡର ମୁଶୀର ଖାନ। ରଣଜୀ ଟ୍ରଫି ୨୦୨୬-୨୭ରେ ହରିୟାଣା ବିପକ୍ଷରେ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରି ସେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି। ପ୍ରଥମେ ଶତକ ହାସଲ କରିବା ପରେ ବୋଲିଂରେ ୬ଟି ଉଇକେଟ ନେଇ ମୁମ୍ବାଇକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି ଏହି ୨୧ ବର୍ଷୀୟ ଖେଳାଳି। ଏଥିସହ ୭୭ ବର୍ଷ ପରେ ମୁମ୍ବାଇ କ୍ରିକେଟ୍‌ରେ ଏକ ବିରଳ କୀର୍ତ୍ତିର ପୁନରାବୃତ୍ତି ହୋଇଛି। ମୁଶୀର ହେଉଛନ୍ତି ଭାରତୀୟ କ୍ରିକେଟର ସରଫରାଜ ଖାନଙ୍କ ସାନ ଭାଇ।
ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସସ୍ଥିତ ଶରଦ ପାୱାର ଏକାଡେମୀରେ ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ମୁମ୍ବାଇ ଓ ହରିୟାଣା ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମୁମ୍ବାଇର ପ୍ରଥମ ଇନିଂସରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ମୁଶୀର ୧୮୫ ବଲ୍‌ରୁ ୧୦୯ ରନ ସଂଗ୍ରହ କରିଥିଲେ। ଏହା ତାଙ୍କ ଫାର୍ଷ୍ଟ କ୍ଲାସ କ୍ୟାରିୟରର ଚତୁର୍ଥ ଶତକ। ତାଙ୍କ ଦମ୍‌ଦାର ଇନିଂସ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୪୩୦ ରନ କରିଥିଲା।

ଏହାପରେ ବୋଲିଂରେ ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ ମୁଶୀର। ନିଜ ସ୍ପିନ ବୋଲିଂରେ ହରିୟାଣାର ବ୍ୟାଟରଙ୍କୁ ଅଡୁଆରେ ପକାଇ ୮୫ ରନ ବିନିମୟରେ ୬ଟି ଉଇକେଟ ନେଇଥିଲେ। ତାଙ୍କର ପ୍ରଥମ ୫ଟି ଶିକାର ହରିୟାଣାର ଶୀର୍ଷ ୬ ଜଣ ବ୍ୟାଟରଙ୍କ ମଧ୍ୟରୁ ଥିଲେ। ଫଳରେ ହରିୟାଣାର ପ୍ରଥମ ଇନିଂସ ୨୭୦ ରନ୍‌ରେ ସୀମିତ ରହିଥିଲା। ମୁମ୍ବାଇକୁ ୧୬୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ମିଳିଥିବାବେଳେ ହରିୟାଣାକୁ ଫଲୋଅନ ଦେବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିଲା।

ଗୋଟିଏ ରଣଜୀ ମ୍ୟାଚ୍‌ରେ ଶତକ ଏବଂ ୬ଟି ଉଇକେଟ ହାସଲ କରି ମୁଶୀର ଖାନ ମୁମ୍ବାଇ ପକ୍ଷରୁ ଏହି ସଫଳତା ପାଇଥିବା ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ୧୯୪୯ ମସିହାରେ ଦତ୍ତୁ ଫଡକର ଏହି କୀର୍ତ୍ତି ହାସଲ କରିଥିଲେ। ୧୯୪୮-୪୯ ରଣଜୀ ଟ୍ରଫି ସିଜିନ୍‌ରେ ମାଡ୍ରାସ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସେ ବ୍ୟାଟ ଓ ବଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ପ୍ରାୟ ୭୭ ବର୍ଷ ପରେ ମୁଶୀର ଏହି ବିରଳ ସଫଳତାର ପୁନରାବୃତ୍ତି କରି ମୁମ୍ବାଇ କ୍ରିକେଟ୍‌ର ଐତିହାସିକ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି।

ଫାର୍ଷ୍ଟ କ୍ଲାସ କ୍ରିକେଟ୍‌ରେ ଗୋଟିଏ ମ୍ୟାଚ୍‌ରେ ଶତକ ସହ ଅତି କମ୍‌ରେ ୫ଟି ଉଇକେଟ ନେବା ଏକ ଉଲ୍ଲେଖନୀୟ ଅଲରାଉଣ୍ଡ ସଫଳତା। ମୁମ୍ବାଇ ପକ୍ଷରୁ ଏହି କୀର୍ତ୍ତି ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ମୁଶୀର ଷଷ୍ଠ ସଦସ୍ୟ ହୋଇଛନ୍ତି। ତାଙ୍କ ପୂର୍ବରୁ ମଦନ ରାୟଜୀ, ଦତ୍ତୁ ଫଡକର, ବିନୁ ମାଙ୍କଡ, ପଲି ଉମ୍ରିଗର ଓ ରବି ଶାସ୍ତ୍ରୀ ଏହି ସଫଳତା ହାସଲ କରିଥିଲେ। ୧୯୯୧ରେ ଇନ୍ଦୋରଠାରେ ମଧ୍ୟପ୍ରଦେଶ ବିପକ୍ଷରେ ରବି ଶାସ୍ତ୍ରୀ ୧୫୮ ରନ କରିବା ସହ ୫ଟି ଉଇକେଟ ନେଇଥିଲେ। ଦୀର୍ଘ ୩୫ ବର୍ଷ ପରେ ମୁଶୀର ଏହି ସ୍ବତନ୍ତ୍ର ତାଲିକାରେ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share