ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍ ଜିତ ରାଭାଲ ପେସାଦାର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍ ନିଜ କ୍ୟାରିୟର ଓ ଉପଲବ୍ଧିକୁ ନେଇ ସନ୍ତୁଷ୍ଟ ଥିବା କହି ଏହି ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ଜନ୍ମ ହୋଇଥିବା ଜୀତ ଯୁବାବସ୍ଥାରେ ପରିବାର ସହ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ପରେ ସେହି ଦେଶ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସ୍ବପ୍ନ ପୂରଣ କରିଥିଲେ।
ଜିତ ୨୦୧୬ ନଭେମ୍ବରରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୫ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପାଇଁ ସେ ମୋଟ ୨୪ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଓପନର୍ ଭାବେ ୩୯ଟି ଟେଷ୍ଟ ଇନିଂସରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସହ ମୋଟ ୧୧୪୩ ରନ ସଂଗ୍ରହ କରିଥିଲେ। ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ସିଡ୍ନୀରେ ଅନୁଷ୍ଠିତ ସେହି ମ୍ୟାଚ୍ରେ ପ୍ରଥମ ଇନିଂସରେ ୩୧ ରନ ଏବଂ ଦ୍ୱିତୀୟ ଇନିଂସରେ ୧୨ ରନ କରିଥିଲେ।
ଟେଷ୍ଟ କ୍ରିକେଟ ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ମଧ୍ୟ ଜିତଙ୍କ ରେକର୍ଡ ଉଲ୍ଲେଖନୀୟ। ୧୬୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସେ ୨୪ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ସହ ମୋଟ ୧୦,୪୩୨ ରନ କରିଛନ୍ତି। ଏହି ଫର୍ମାଟ୍ରେ ତାଙ୍କ ବ୍ୟାଟିଂ ହାର ୪୭.୯୧ ରହିଛି। ଅବସର ଘୋଷଣା ଅବସରରେ ଜିତ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟ ଖେଳିବା ତାଙ୍କ ପିଲାଦିନର ସ୍ବପ୍ନ ଥିଲା। ଏହି ସ୍ବପ୍ନ ପୂରଣ ହୋଇଥିବାରୁ ସେ ନିଜ କ୍ରିକେଟ ଯାତ୍ରାକୁ ନେଇ ଗର୍ବିତ।
ତାଙ୍କ କହିବା ଅନୁଯାୟୀ, ନ୍ୟୁଜିଲାଣ୍ଡ ଯିବାର ନିଷ୍ପତ୍ତି କେବଳ ତାଙ୍କ ସ୍ବପ୍ନ ନ ଥିଲା, ବରଂ ତାଙ୍କ ପିତାଙ୍କର ମଧ୍ୟ ଏକ ସ୍ବପ୍ନ ଥିଲା। ପରିବାର ଏକ ସୁଯୋଗ ଦେଖି ନ୍ୟୁଜିଲାଣ୍ଡ ଚାଲିଯାଇଥିଲା, ଯାହା ତାଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିଥିଲା। ଗୁଜରାଟରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଜିତଙ୍କ କ୍ରିକେଟ ଯାତ୍ରା ଭାରତରୁ ଆରମ୍ଭ ହୋଇ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା।